ଓମିକ୍ରନ୍ ମୁକାବିଲା ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ସ୍ଥିତି ଦେଖି କଟକଣା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

201

କନକ ବ୍ୟୁରୋ: ଓମିକ୍ରନ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ସ୍ଥିତି ନେଇ ଜିଲ୍ଲାପାଳମାନେ କଟକଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସର୍ଭେଲାନ୍ସ ବଢାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ତେବେ ବାକି ଥିବା ଲୋକଙ୍କୁ ଖୁବଶୀଘ୍ର କିଭଳି ଟିକା ଦିଆଯିବ ସେନେଇ ମଧ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ବୈଠକରେ କୁହାଯାଇଛି ।

ଖାଲି ସେତିକି ନୁହେଁ ଏବେ ଓମିକ୍ରନ ଭୟ ବଢୁଥିବାରୁ ଜିନମ ସିକ୍ୟୁଏନ୍ସ ବଢାଇବାକୁ କୁହାଯାଇଛି । ଆରଟିପିସିଆର ପଜିଟିଭ ଓ ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନମ ସିକ୍୍ୟୁଏନ୍ସ କରାଯିବ । ତା ସହିତ ନୂଆବର୍ଷ ପାଇଁ ଗାଇଡଲାଇନ ବି ଆସିପାରେ ବୋଲି ସୂଚନା ମିଳିଛି । ଏତଦବ୍ୟତୀତ ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ପର୍ଯ୍ୟନ୍ତ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଓମିକ୍ରନକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନିୟମ ପାଳନ କରିବା ସହିତ ସଚେତନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ରୁତ ବେଗରେ ବ୍ୟାପୁଛି । ତେଣୁ ଆମକୁ ସତର୍କ ରହିବା ସହ ମାସ୍କ ପିନ୍ଧିବା ଏବଂ ଦରକାର ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ତାଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ । ସମସ୍ତଙ୍କ ସହଯୋଗରେ ଏହି ଲହରକୁ ମୁକାବିଲା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।