ଓଡିଶା ଉପରେ ପଡିବନି ବାତ୍ୟାର ପ୍ରଭାବ: କମ ବହିବ ପବନ, ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

225

କନକ ବ୍ୟୁରୋ: ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ହୋଇପଡିଛି ବଂଗୋପସାଗର । କଳା ବାଦଲ ଆକାଶଙ୍କୁ ଢ଼ାଂକି ରଖିବା ସହ ସମୁଦ୍ରରେ ବଡ ବଡ ଜୁଆର ଉଠୁଛି । ଏ ହେଉଛି ଅସ୍ତରଙ୍ଗ ସମୁଦ୍ର ବେଳାଭୂମି ଅଂଚଳର ଦୃଶ୍ୟ । କେବଳ ଅସ୍ତରଙ୍ଗ ନୁହେଁ ସବୁ ସମୁଦ୍ର କୂଳିଆ ଅଂଚଳରେ ଏମିତି ସ୍ଥିତି ଦେଖିବାକୁ ମିଳିବା ପରେ ବେଳାଭୂମିକୁ ନଯିବାକୁ ଲୋକଙ୍କୁ ସତର୍କ କରିଛି ପ୍ରଶାସନ ।

ବାତ୍ୟା ଅସାନି ଆନ୍ଧ୍ର ଉପକୂଳ ପରେ ଦିଗ ବଦଳାଇବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ବି ସମୁଦ୍ର କୂଳିଆ ଅଂଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ପାରାଦୀପ ବନ୍ଦରକୁ ୨ନମ୍ବର ବିପଦ ସଂକେତ ଜାରି କରଯାଇଥିବାରୁ, ତଳିଆ ଅଂଚଳରେ ଥିବା ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ସତର୍କ କରାଯାଇଛି ।

ପୁରୀ ବେଳାଭୂମିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବାତ୍ୟା ଅସାନି ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ରରେ ନଗାଧୋଇବାକୁ ଲୋକମାନଙ୍କୁ କୁହାଯାଇଛି । ଡାକବାଜି ଯନ୍ତ୍ର ସହାୟତାରେ ବେଳାଭୂମିରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ସତର୍କ କରାଯାଇଛି ।

ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୨ ଦିନ ପାଇଁ ବେଳାଭୂମିକୁ ଆସିବାକୁ ବାରଣ କରିଛି ଗଂଜାମ ଜିଲ୍ଲା ପ୍ରଶାସନ । ଯଦିଓ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ, ତଥାପି ସତର୍କତା ଦୃଷ୍ଟିରୁ ପ୍ରଶାସନ ଲୋକଙ୍କ ପାଇଁ ଏହି କଟକଣା ଜାରି କରିଛି ।

ଗଂଜାମ ଛତ୍ରପୁର ବ୍ଲକ ସାନ ଆର୍ଯ୍ୟପାଲିରେ ଘଟିଛି ଏହି ଘଟଣା । ସାନ ଆର୍ଯ୍ୟପାଲି, ବଡ଼ ଆର୍ଯ୍ୟପାଲି ଓ ଗୋଳାବନ୍ଧ ଭଳି ଅଂଚଳର ୬୦ ଜଣ ମତ୍ସଜୀବୀ ୬ଟି ଡଙ୍ଗାରେ ସମୁଦ୍ରକୁ ମାଛମାରିବାକୁ ଯାଇଥିଲେ । ଫେରିବା ବେଳେ ବାତ୍ୟା ଅସାନି ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କ ଡଙ୍ଗା ଓଲଟିପଡ଼ିଥିଲା । ତେବେ ସୌଭାଗ୍ୟ ବସତଃ ଦୀର୍ଘ ୧ ଘଂଟାର ସଂଘର୍ଷ ପରେ କୂଳରେ ଆସି ସୁରକ୍ଷିତ ପହଂଚିଥିଲେ ମତ୍ସଜୀବୀ ।