ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇଲା ବାତ୍ୟା ଅସାନି । କାଲି ସକାଳେ କାକିନାଡା- ବିଶାଖପଟ୍ଟନମ ମଝିରେ ଉପକୂଳ ଛୁଇଁ କରିବ ରି-କର୍ଭ ।

245

କନକ ବ୍ୟୁରୋ: ଭାରତୀୟ ଉପଗ୍ରହର ଚିତ୍ର ହିଁ ବୟାନ କରୁଛି ବାତ୍ୟା ଅସାନି, ବଡ ଆକାରରେ ପ୍ରଭାବ ତିଆରି କରି ସମୁଦ୍ର ଭିତରେ ଗତି କରୁଛି । ଏହାର ଆକାର ଦେଖିଲେ ଏହା ଭୟଙ୍କର ମନେହେଉଛି, କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହି ବାତ୍ୟା ଆଉ ଅଧିକ ଘନୀଭୂତ ହେଉନାହିଁ ବରଂ ଦୁର୍ବଳ ହେବାରେ ଲାଗିଛି ।

  • ଆନ୍ଧ୍ର ଆଡକୁ ମୁହାଁଇଲା ବାତ୍ୟା
  • ବିଶାଖାପଟ୍ଟନମରେ ଉପକୂଳ ଛୁଇଁ କରିବ ରି-କର୍ଭ

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ବାତ୍ୟା ଅସାନି ଆନ୍ଧ୍ରର କାକିନାଡା-ବିଶାଖାପଟନମ ଉପକୂଳ ଆଡକୁ ମୁହାଁଇବ । ଏହାପରେ ଉପକୂଳରେ ଘଷି ହୋଇ ପୁଣି ଉତ୍ତର-ପୂର୍ବ ଦିଗରେ ରି-କର୍ଭ କରିବ । ଅର୍ଥାତ ଉପକୂଳର ସମାନ୍ତରାଳରେ ସମୁଦ୍ର ଭିତରେ ଗତି କରିବ ଅସାନି ଏବଂ ଓଡିଶା ଉପରେ ଏହାର ପ୍ରଭାବ ପୁରାପୁରି କମିଯିବ । କେବଳ ଯାହା ବର୍ଷା ହେବ ।

ବର୍ତ୍ତମାନ ବାତ୍ୟା ଅସାନି ସମୁଦ୍ର ଭିିତରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ଅବସ୍ଥାରେ ରହିଛି ଏବଂ ପବନର ଗତି ପ୍ରାୟ ୮୫ରୁ ୯୫ କିଲୋମିଟର ପ୍ରତି ଘଣ୍ଟା ରହିଛି । କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହା ଆଉ ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ୧୧ ତାରିଖ ଅର୍ଥାତ ବୁଧବାର ସକାଳ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ କେବଳ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଅର୍ଥାତ ଏହାର ବଳ କମିଯିବ । ଏହାର ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଆଇଏମଡି କହିଛି, ଏହା ଆନ୍ଧ୍ରର କାକିନାଡା-ବିଶାଖାପଟଣା ଉପକୂଳ ଆଡକୁ ମୁହାଁଇବ ଏବଂ ଉପକୂଳକୁ ଛୁଇଁ ଅର୍ଥାତ ଘଷି ହୋଇ ପୁଣି ରିକର୍ଭ କରିବ ।

ଆମେରିକାର ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର ବା ଜେଟିଡବ୍ଲୁସି, ଟିକିଏ ଭିନ୍ନ ଭାବରେ ଏହି ପୂର୍ବାନୁମାନ କରୁଛି । ଏହି ପାଣିପାଗ କେନ୍ଦ୍ର କହୁଛି ବାତ୍ୟା ଅସାନି ଆନ୍ଧ୍ରର କାକିନାଡା ନିକଟରେ ସ୍ଥଳଭାଗ ଭିତରକୁ ପ୍ରବେଶ କରିବ ଏବଂ ସ୍ଥଳଭାଗରେ ଏହା ରି-କର୍ଭ କରିବ । ପୁଣି ଏହି ବାତ୍ୟା ସମୁଦ୍ର ଭିତରକୁ ପ୍ରବେଶ କରିବ । ଏହାପରେ ପୁଣି ଉତ୍ତର-ପୂର୍ବ ଆଡକୁ ଗତି କରି ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହୋଇଯିବ । ଏହାର ଆକଳନ କହୁଛି ସ୍ଥଳଭାଗ ଛୁଇଁବା ବେଳକୁ ପବନର ଗତି ପ୍ରାୟ ୧୦୦ରୁ ୧୧୦ କିଲୋମିଟର ଭିତରେ ରହିବ ଏବଂ ସ୍ଥଳଭାଗ ଛୁଇଁବା ପରେ ପବନର ଗତି ୮୦ରୁ ୯୦ କିଲୋମିଟରକୁ ଚାଲିଆସିବ ।

ତେବେ ସମସ୍ତଙ୍କ ପୂର୍ବାନୁମାନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଓଡିଶାରେ ଆଉ ବିଶେଷ ପ୍ରଭାବ ପଡିବାର ସମ୍ଭାବନା ନାହିଁ । ଓଡିଶା ଉପକୂଳକୁ ଆସିବାବେଳକୁ ଅସାନି, ବାତ୍ୟାରୁ ଅବପାତରେ ପରିଣତ ହୋଇଯାଇଥିବ, କେବଳ ବର୍ଷା ହେଉଥିବ । ତେବେ ସମୁଦ୍ର ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।