ଲଘୁଚାପ ଆଣୁଛି ମୌସୁମୀ: ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା, ଆଗାମୀ ୨ ଦିନ ଧରି ଲଗାଣ ବର୍ଷା ନେଇ ସତର୍କ ସୂଚନା

୨୪ ଘଂଟା ମଧ୍ୟରେ ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

566

କନକ ବ୍ୟୁରୋ: ଉତର ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ ଘଂଟାରେ ଏହା ଲଘୁଚାପର ରୁପ ନେବ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ଆଜି ଓ କାଲି  ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି, ଲଘୁଚାପ, ମୌସୁମୀକୁ ଅଧିକ ସକ୍ରିୟ କରାଇବ । ଯାହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ଆଜି ପାଇଁ ଅରେଂଜ୍ ୱାଣ୍ଣିଂ ଜାରି କରାଯାଇଛି । ଏହି ବର୍ଷାରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହେବ। ମୌସୁମୀ ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଥିଲା। ତେଣୁ ଭଲ ବର୍ଷା ହୋଇନଥିଲା। ଜୁନ୍ ମାସରେ ସ୍ବାଭାବିକ ବର୍ଷା ହୋଇନଥିଲା। ହେଲେ ଏବେ ଭଲ ବର୍ଷା ହେବ। ନିୟମିତ ବ୍ୟବଧାନରେ ବର୍ଷା ହେବ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁନ୍ ୩୦ରୁ ଜୁଲାଇ ୨ ପର୍ଯ୍ୟନ୍ତ କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କଟକ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ଷାରେ ଏହି ସବୁ ଜିଲ୍ଲାରେ ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିବା ସହ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ମତ୍ସ୍ୟଜୀବୀମାନେ ତୁରନ୍ତ ସମୁଦ୍ର ଭିତରୁ ଆସିବାକୁ କୁହାଯାଇଛି।