ରଜରେ ଭିଜିବ ଓଡ଼ିଶା : ୧୬ ତାରିଖରୁ ବଢିବ ବର୍ଷାର ପରିମାଣ

274

କନକ ବ୍ୟୁରୋ : ରଜରେ ଭିଜିବ ଓଡ଼ିଶା । ୧୬ ତାରିଖରୁ ବର୍ଷାର ପରିମାଣ ବଢିବ । ୩ରୁ ୪ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ଖସିବ । ଜୁନ୍ ଶେଷ ସପ୍ତାହରେ ଅଧିକ ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବ‌ଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ ।

ଏହାର ପରବର୍ତ୍ତୀ ୩ ଦିନରେ ଅର୍ଥାତ୍‌ ରଜକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ୩ ଦିନରେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ସମେତ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ । ଅର୍ଥାତ୍‌ ଶେଷ ରଜକୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆସନ୍ତାକାଲିଠୁ ରାଜ୍ୟରେ ତାତି କମିବା ଆରମ୍ଭ କରିବ ଓ ୧୭ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋ‌ଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ତାତି ୧୪ରୁ ଓ ଆଭ୍ୟନ୍ତର ଓଡ଼ିଶାର ତାତି ୧୫ତାରିଖରୁ କମିବ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରି ମଧ୍ୟରେ ରହିବ ।

ଚଳିତ ବର୍ଷ କେରଳକୁ ମୌସୁମୀ ୪ଦିନ ଆଗରୁ ଛୁଇଁଥିଲା । କିନ୍ତୁ ତା’ପରେ ଦୁର୍ବଳ ଓ ମନ୍ଥର ଗତି ହେତୁ ପ୍ରାୟ ୧୨ଦିନ ବିଶେଷ ଅଗ୍ରଗତି ନ କରି କେବଳ ଦକ୍ଷିଣ-ପଶ୍ଚିମ ଉପକୂଳରେ ସୀମିତ ରହିଥିଲା । ଗତ ୩ ଦିନ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି । ଯଦିଓ ବର୍ତ୍ତମାନ ଅରବ ସାଗରୀୟ ମୌସୁମୀ ଶାଖା ସକ୍ରିୟ ପାଇଁ ଅନୁକୂଳ ପରିବେଶ ରହିଛି, ଏହା ବଙ୍ଗୋପସାଗରୀୟ ମୌସୁମୀ ଶାଖାକୁ ମଧ୍ୟ କିଛି ମାତ୍ରାରେ ସକ୍ରିୟ କରିବ ।