ସିଦ୍ଧରମୈୟାଙ୍କୁ ଭେଟିଲେ ଓଡିଶା ନେତା: ଜୟଦେବଙ୍କ ଘରେ ଚିରଞ୍ଜୀବ, ପିସିସି ସଭାପତିଙ୍କ ବୈଠକ

927

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ କଂଗ୍ରେସ ଶିବିର ହୋଇ ଉଠିଛି ବେଶ ଚଳଚଂଚଳ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟି ସଫଳତାର ଟିପ୍ସ ନେଲେ ଓଡିଶା ନେତା । କର୍ଣ୍ଣାଟକରେ କଂଗ୍ରେସ ଯେଉଁଭଳି ଭାବେ ବିଜୟ ହାସଲ କରିଛି, ସେହିପରି ବିଜୟ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଠାରୁ ଟିପ୍ସ ନେଇଛନ୍ତି । ଏପଟେ ଜୟଦେବ ଜେନାଙ୍କ ଘରେ ବୈଠକ କରିଛନ୍ତି ନିଲମ୍ବିତ ନେତା ଚିରଂଜୀବ ବିଶ୍ୱାଳ । ସେହିପରି ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ କଂଗ୍ରେସ ଭବନରେ ପିସିସି ସଭାପତି ଦେଇଛନ୍ତି ମନ୍ତ୍ରଣା । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ଶିବିର ଚଳଚଂଚଳ ହୋଇଛି । ଭୁବନେଶ୍ୱରଠୁ ଆରମ୍ଭ କରି ବେଙ୍ଗାଲୁରୁ ଯାଏଁ ଦଳର ନେତାମାନେ ସକ୍ରିୟ ହୋଇଛନ୍ତି ।

ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ କଂଗ୍ରେସ ରାଜନୀତି ଚଳଚଂଚଳ ହୋଇଛି । ନିଲମ୍ବନ ପରର ପ୍ରତିବାଦ ପରେ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ଜୟଦେବ ଜେନା ଓ ଶରତ ରାଉତଙ୍କୁ ଭେଟି ଦଳ ବିଷୟରେ ଆଲୋଚନା କରିଛନ୍ତି । ଜୟଦେବଙ୍କ ଘରେ ଏହି ବୈଠକ ବସିଥିଲ।। ନିର୍ବାଚନ ସମୟରେ ଏଭଳି ନିଲମ୍ବନ ଦଳ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ଶରତ ରାଉତ । ନିକଟରେ ଶରତ ରାଉତ କଂଗ୍ରେସ ସଭାପତିଙ୍କୁ ଭେଟିଥିଲେ । ଆଉ ଦୁଇଜଣଙ୍କ ନିଲମ୍ବନର ପୁନଃବିଚାର ଲାଗି ସେ ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି ।

ନିକଟରେ କଂଗ୍ରେସରେ ମିଶିଥିବା ପୂର୍ବତନ ଓଏଏସ ଓ ଆଇଏସଙ୍କୁ ସହ ଆଲୋଚନା କରିଛନ୍ତି ପିସିସି ସଭାପତିି ଶରତ ପଟ୍ଟନାୟକ । ରାଜ୍ୟର ୩୧୪ ବ୍ଲକରେ ଦଳକୁ କିଭଳି ସକ୍ରିୟ କରାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ବିଶେଷକରି ତଳସ୍ତରରେ ଦଳ କିଭଳି ମଜଭୁତ ହୋଇପାରିବ ସେ ନେଇ ରଣନୀତି ପ୍ରସ୍ତତ କରିବାକୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ପେପରୱାର୍କ କରିବାକୁ କୁହାଯାଇଛି ।

କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ ଜୋସରେ ଅଛନ୍ତି କଂଗ୍ରେସ କର୍ମୀ । ଆଉ ବେଙ୍ଗାଲୁରୁରେ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟିଛନ୍ତି ଓଡିଶା କଂଗ୍ରେସ ନେତା । ଏମାନଙ୍କ ମଧ୍ୟରେ ଥିଲେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ. ମାନସ ଚୌଧୁରୀ ଓ ଅନେକ ଯୁବ ଛାତ୍ର ନେତା । ଆଲୋଚନା ସମୟରେ କର୍ଣ୍ଣାଟକରେ ଦଳର ବିଜୟ ଫର୍ମୁଲା ନେଇ ଆଲୋଚନା ହୋଇଥିବା ଜଣାପଡିଛ ିା ଓଡିଶାର ନେତାମାନେ ସିଦ୍ଧରମୈୟାଙ୍କୁ ଓଡିଶା ଆସିବାକୁ ବି ନିମନ୍ତ୍ରଣ କରିଛନ୍ତି ।

ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି, ଖୁବଶୀଘ୍ର ବଦଳିପାରନ୍ତି ପିସିସି ସଭାପତି । ଏ ନେଇ କିଛି ଅସନ୍ତୁଷ୍ଟ ନେତା ଦିଲ୍ଲୀରେ ଡେରା ପକାଇ ଦଳର ସଭାପତି ମଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି । ନିର୍ବାଚନ ଠିକ ପୂର୍ବରୁ ଦଳରେ ହୋଇପାରେ ପରିବର୍ତନ ।