ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ ଟୋକିଓରୁ ଅଲିମ୍ପିକ୍ ପଦକ ବିଜେତା ପୁରୁଷ ହକି ଦଳ । ସମ୍ବଲପୁରୀ ଉତ୍ତରୀୟ ଦେଇ ସ୍ୱାଗତ କରିବେ ରାଜ୍ୟ ସରକାର ।

179

କନକ ବ୍ୟୁରୋ: ଟୋକିଓରେ ଇତିହାସ ରଚିଛି ଭାରତୀୟ ହକି ଦଳ । ୪୧ ବର୍ଷ ପରେ ଭାରତକୁ ହକିରେ ଅଲିମ୍ପିକ୍ସ ପଦକ ମିଳିଛି । ପଦକ ବିଜେତା ଭାରତୀୟ ହକି ଦଳକୁ ପ୍ରୋତ୍ସାହିତ କରି ଆସୁଛନ୍ତି ଓଡିଶା ସରକାର । ଆସନ୍ତା ୧୬ ତାରିଖରେ ଟିମ୍ ଇଣ୍ଡିଆକୁ ଓଡିଶା ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ବିଜେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଉତ୍ତରୀୟ ପ୍ରଦାନ କରାଯିବ । ସେହି ଉତ୍ତରୀୟ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବହ୍ମଣୀପାଲିରୁ ଆସିବ । ସମ୍ବଲପୁରୀ ବସ୍ତ୍ରରେ ତିଆରି ବାନ୍ଧ କଳାରେ ତିଆରି ହେଉଛି ହକି ତାରକାଙ୍କ ପାଇଁ ସ୍ୱତନ୍ତ୍ର ଉତରୀୟ ।

ସମ୍ବଲପୁରୀ ବସ୍ତ୍ର ପ୍ରସ୍ତୁତି ତନ୍ତଶାଳାରେ ହକି ତାରକାଙ୍କ ପାଇଁ ତିଆରି ହେଉଛି ଉତ୍ତରୀୟ । ଟୋକିଓରେ ଐତିହାସିକ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଦଳ ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ । ସେମାନଙ୍କୁ ଏହି ସ୍ୱତନ୍ତ୍ର ଉତ୍ତରୀୟ ଦେଇ ସ୍ୱାଗତ କରାଯିବ । ସରୁ ସୂତା, ପ୍ରାକୃତିକ ରଙ୍ଗ, ସୂକ୍ଷ୍ମ କାରିଗରୀ ଓ ୟୁନିକ୍ ଡିଜାଇନ୍ ପାଇଁ ସାରା ବିଶ୍ୱ ପରିଚିତ ସୁବର୍ଣ୍ଣପୁର ବୁଣାକାରଙ୍କ ପାଟ ବସ୍ତ୍ର । ସେଇ ପରିଚିତ ବୁଣାକାରମାନେ ସୂକ୍ଷ୍ମ ବାନ୍ଧ କଳାରେ ପ୍ରସ୍ତୁତ କରୁଛନ୍ତି ହକି ତାରକାଙ୍କ ପାଇଁ ଉତ୍ତରୀୟ । ଯେଉଁଥିରେ ରହିଛି ହକି ଷ୍ଟିକ୍ ସହ ଅଲିମ୍ପିକ୍ସ ଚିହ୍ନ । ସୁବର୍ଣ୍ଣପୁର ସାଗରତଲ ଗାଁର ବାନ୍ଧ ଶିଳ୍ପୀ ଶିବଶଙ୍କର ମେହେର ଓ ନୀଳମଣୀ ମେହେରଙ୍କ ପରିବାର ତିଆରି କରୁଥିବା ଏହି ସ୍ୱତନ୍ତ୍ର ଉତ୍ତରୀୟ ଦେଇ ଖେଳାଳିଙ୍କୁ ସ୍ୱାଗତ କରିବେ ରାଜ୍ୟ ସରକାର ।

ଏହି ଉତ୍ତରୀୟ ତିଆରି କରିବା ପାଇଁ ରାଜ୍ୟ ସରକାର ବରଗଡ ଜିଲ୍ଲାର ସମ୍ବଲପୁରୀ ବସ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି । ସମ୍ବଲପୁର ବସ୍ତ୍ରାଳୟ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କୁ ଚୟନ କରି ବୁଣିବା ପାଇଁ କୁହାଯିବା ପରେ ତନ୍ତଶାଳ ଚଳଚଞ୍ଚଳ ହୋଇଛି । ମାଷ୍ଟର ବୁଣାକାର ଉତ୍ତମ ମେହେରଙ୍କ ତତ୍ତ୍ୱାବଧାନରେ ବୁଣାକାରମାନେ ୩ ଦିନ ଭିତରେ ଏସବୁ ଉତ୍ତରୀୟ ତିଆରି କରିଛନ୍ତି । ବାନ୍ଧକଳାର ପ୍ରୟୋଗଶାଳା ଭାବେ ସୁବର୍ଣ୍ଣପୁର ବେଶ ପ୍ରସିଦ୍ଧି ପାଇଛି । ତେବେ କଳାକାର ଓ କାରିଗରମାନଙ୍କ ସୃତନଶୀଳତା ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ଅର୍ଜନ କରିବା ସହ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିଛି ।