ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି । ସ୍କ୍ରାପିଂ ପଲିସିକୁ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ପଢନ୍ତୁ, କେଉଁ ଗାଡ଼ିକୁ କରାଯିବ ସ୍କ୍ରାପିଂ?

2,356

କନକ ବ୍ୟୁରୋ: ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି । ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ପଲିସି-୨୦୨୨କୁ ମଞ୍ଜୁରୀ ମିଳିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ହେଲେ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା ଗାଡ଼ି ଯେଉଁଗୁଡିକ ପୁନଃ ପଞ୍ଜିକୃତ ହୋଇନାହିଁ କିମ୍ବା ଫିଟନେସ ନାହିଁ ସେଗୁଡିକ ରାସ୍ତାରେ ଚାଲିପାରିବ ନାହିଁ । ସରକାରୀ ସଂସ୍ଥା ମାଲିକାନାରେ ଥିବା ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମସ୍ତ ପୁରୁଣା ଗାଡ଼ି ରାସ୍ତାରେ ଚାଲିପାରିବ ନାହିଁ । ସ୍କ୍ରାପିଂ ହୋଇଥିବା ଗାଡ଼ିର ମାଲିକ ନୂଆ ଗାଡ଼ି କିଣିଲେ, ସେମାନଙ୍କୁ ମୋଟର ଯାନ ଟିକସରେ ରିହାତି ଦିଆଯିବ ।

  • ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି
  • ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ପଲିସି-୨୦୨୨କୁ ମଂଜୁରୀ

ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏପରି ନିଷ୍ପତି ନିଆଯାଇଛି । ପୁରୁଣା ଗାଡ଼ିଗୁଡ଼ିକ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ହୋଇଥିବାରୁ ଏହି ଗାଡ଼ିକୁ କମାଇବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଯେଉଁ ନିୟମ ପ୍ରଣୟନ କରିଛନ୍ତି, ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।

କେଉଁ ଗାଡ଼ିକୁ କରାଯିବ ସ୍କ୍ରାପିଙ୍ଗ୍?

  • ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା ଗାଡ଼ି ଯେଉଁଗୁଡିକ ପୁନଃ ପଞ୍ଜିକୃତ ହୋଇନାହିଁ
  • ଫିଟନେସ୍ ପ୍ରମାଣପତ୍ର ନାହିଁ କିମ୍ବା ରାସ୍ତାରେ ଚାଲୁନାହିଁ
  • ସରକାରୀ ସଂସ୍ଥା ମାଲିକାନାରେ ଥିବା ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମସ୍ତ ପୁରୁଣା ଗାଡ଼ି

କ’ଣ ମିଳିବ ସୁବିଧା?

  • ସ୍କ୍ରାପିଂ ହୋଇଥିବା ଗାଡ଼ିର ମାଲିକ ନୂଆ ଗାଡ଼ି କିଣିଲେ, ସେମାନଙ୍କୁ ମୋଟର ଯାନ ଟିକସରେ ରିହାତି ଦିଆଯିବ
  • ସ୍କ୍ରାପିଂ ସମୟରେ ପୁରୁଣା ଗାଡ଼ି ପାଇଁ ଗାଡ଼ି ମୂଲ୍ୟର ୬ ପ୍ରତିଶତ ଟଙ୍କା ଦେବ ସ୍କ୍ରାପିଂ କେନ୍ଦ୍ର
  • ଗାଡ଼ି ସ୍କ୍ରାପିଂ କେନ୍ଦ୍ରକୁ ଶିଳ୍ପର ମାନ୍ୟତା ମିଳିବ
  • ସ୍କ୍ରାପିଂ କେନ୍ଦ୍ର ସ୍ଥାପନ କରିବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା କଂପାନୀକୁ ରିହାତି ଦରରେ ଜମି ପ୍ରଦାନ କରାଯିବ
  • ଶିଳ୍ପନୀତି ଅନୁସାରେ ଅନ୍ୟ ସୁବିଧା ଯୋଗାଇ ଦିଆଯିବ

ରାଜ୍ୟରେ ଗଡ଼ୁଥିବା ପ୍ରାୟ ୬୦ରୁ ୭୦ ପ୍ରତିଶତ ବାଣିଜ୍ୟିକ ଗାଡ଼ି ପୁରୁଣା । ଏହି ନିୟମ ଲାଗୁହେଲେ, ଅନେକ ଗାଡ଼ି ଉପରେ କଟକଣା ଲାଗିବ । ତେଣୁ ବାଣିଜ୍ୟିକ ଗାଡ଼ି ମାଲିକ, ଏହି ପଲିସିକୁ ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ…

  • ରାସ୍ତାରୁ ଉଭାନ ହୋଇଯିବ ହଜାର ହଜାର ଗାଡ଼ି
  • ଗାଡ଼ି ମାଲିକମାନେ ବ୍ୟବସାୟ ହରାଇବେ
  • ହଜାର ହଜାର ଡ୍ରାଇଭର, ହେଲପର୍, ଅନ୍ୟ କର୍ମଚାରୀ ବେକାର ହୋଇଯିବେ
  • ଗ୍ୟାରେଜ୍ ଓ ଗାଡ଼ି ଯନ୍ତ୍ରାଂଶ ବିକ୍ରି ପ୍ରଭାବିତ ହେବ