ଦ୍ୱିତୀୟ ଦିନରେ ବି ବର୍ଷିଲେ ଧର୍ମେନ୍ଦ୍ର । ନିର୍ବାଚନୀ ସଭାରୁ ନବୀନଙ୍କୁ କଲେ ନିଶାନା । ବିଜେଡି କହିଲା, କେନ୍ଦ୍ରମନ୍ତ୍ରୀଙ୍କ କଥା ସତ ନୁହେଁ

129

କନକ ବ୍ୟୁରୋ: ପ୍ରଚାରର ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ବି ପଦ୍ମପୁର ନିର୍ବାଚନୀ ସଭାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ଦିନରେ ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲେ ସେସବୁ ପ୍ରସଙ୍ଗ ଉଠାଇବା ସହ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ ଅଳ୍ପ କିଛି ଦେଇ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ମାଛ ତେଲରେ ମାଛ ଭାଜିବା ଚାଲାକ ଲୋକଙ୍କ କାମ । ସେହିପରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ, ସାମ୍ବାଦିକ ସମ୍ମିଳନୀ କରି ବୟାନକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

  • ଦ୍ୱିତୀୟ ଦିନରେ ବି ବର୍ଷିଲେ ଧର୍ମେନ୍ଦ୍ର
  • ନିର୍ବାଚନୀ ସଭାରୁ ନବୀନଙ୍କୁ ନିଶାନା

ପ୍ରଥମ ଦିନରେ ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲେ ସେସବୁ ପ୍ରସଙ୍ଗ ଉଠାଇବା ସହ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ମିଶନ ଶକ୍ତି ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିନା ସୁଧରେ ୫ଲକ୍ଷ ଟଙ୍କା ଋଣ ଦେବାକୁ କଟାକ୍ଷ କରିଛନ୍ତି । କହିଛନ୍ତି, କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ ଅଳ୍ପ କିଛି ଦେଇ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ମାଛ ତେଲରେ ମାଛ ଭାଜିବା ଚାଲାକ ଲୋକଙ୍କ କାମ । ସେହିପରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । କହିଛନ୍ତି, ବିଜେଡି ନେତା ହିସାବରେ ନୁହେଁ ମୁଖ୍ୟମନ୍ତ୍ରୀ ଭାବରେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରନ୍ତୁ ନବୀନ । ତେବେ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ମାମଲାକୁ ନେଇ ବର୍ଷିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ନାଗଫାଶରେ ଥିବା ନେତା ଏଠି ପଞ୍ଚାୟତରେ ପ୍ରଚାର କରୁଛନ୍ତି । ଚିଟଫଣ୍ଡରେ ସମ୍ପୃକ୍ତ ଥିବା ନେତା ଏଠି ଅଛନ୍ତି । କିନ୍ତୁ ଲୋକଙ୍କ ପାଇଁ ସ୍ୱର ଉଠାଉଥିବା ଲୋକଙ୍କ ବିରୋଧରେ ମାମଲା ହେଉଛି ।

  • କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ, ବିଜେଡିର ଜବାବ
  • ‘କେନ୍ଦ୍ରମନ୍ତ୍ରୀଙ୍କ କଥା ସତ ନୁହେଁ’

ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ, ସାମ୍ବାଦିକ ସମ୍ମିଳନୀ କରି ବୟାନକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରେସମିଟ୍ କରି କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ କଥା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ତଥ୍ୟକୁ ଭୁଲଭାବେ ଉପସ୍ଥାପନ କରୁଛି ବିଜେପି । ଓଡି଼ଶା ତୁଳନାରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିଆଣା ଭଳି ବିଜେପି ଶାସିତ ରାଜ୍ୟରେ ନାରୀ ନିର୍ଯ୍ୟାତନା ମାମଲା ଅଧିକ । ତେଣୁ କେନ୍ଦ୍ରମନ୍ତ୍ରୀ ଯାହା ନିର୍ବାଚନୀ ସଭାରେ କହୁଛନ୍ତି, ତାହା କେତେ ଠିକ୍ ଏବେ ବିଚାର କରିବାର ସମୟ ଆସିଛି ।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପାଇକମାଳ ବ୍ଲକର ବିଭିନ୍ନ ସ୍ଥାନରେ ପଦଯାତ୍ରା କରିବା ସହ ମହିଳା ସମାବେଶ କରି ଭୋଟ ମାଗିଛନ୍ତି । ସମାବେଶରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ରୀତା ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲୀ ଦାସ, ଶ୍ରୀମୟୀ ମିଶ୍ର, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରଚାରରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରି ଭୋଟ ମାଗିଛନ୍ତି । ଏସବୁ ଭିତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ଓ ସମର୍ଥକଙ୍କୁ ନେଇ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ଉଭୟ ବିଜେଡି ଓ ବିଜେପି ପଦ୍ମପୁର ପାଇଁ କିଛି କରିନଥିବା ଅଭିଯୋଗ କରିବା ସହ ତାଙ୍କୁ ଭୋଟ ଦେବାକୁ ଅପିଲ କରୁଛନ୍ତି । ଏପରିକି ବିଧାୟକ ପ୍ରାର୍ଥୀ ଭାବରେ ଏହା ତାଙ୍କର ଶେଷ ଲଢ଼େଇ ବୋଲି ଘୋଷଣା କରିଛନ୍ତି ସତ୍ୟଭୂଷଣ ।