ବହୁତ ଲୋକଙ୍କର ଫୋନ୍ କଲ ଆସୁଛି, ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକାଠି କରିବି : ନୀତୀଶ କୁମାର

178

କନକ ବ୍ୟୁରୋ : ବିଜେପି ଠାରୁ ମେଣ୍ଟ ଭାଙ୍ଗି ତେଜସ୍ୱୀଙ୍କ ସହ ମିଶି ସରକାର ଗଠନ କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଉ ଏସବୁ ଭିତରେ ଆଜି ବଡ଼ ବୟାନ ଦେଇଛନ୍ତି ନୀତୀଶ । ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳକୁ ଏକଜୁଟ୍ କରିବାକୁ କାମ କରିବି । ଅନେକ ଲୋକଙ୍କର ଫୋନ୍ କଲ ଆସୁଛି, ତେଣୁ ସବୁ ବିରୋଧୀ ଦଳ ଏକାସାଥୀରେ ଆସନ୍ତୁ ବୋଲି କହିଛନ୍ତି ନୀତୀଶ କୁମାର ।

ଏହାସହ ନୀତୀଶ କହିଛନ୍ତି , କେବେ ମଧ୍ୟ ମୁଁ ପ୍ରଧାନମନ୍ତ୍ରୀ ହେବାକୁ ମନରେ ଭାବି ନାହିଁ । ଯଦି କେହି ମୋତେ ଏ ବାବଦରେ କୁହନ୍ତି ମୁଁ ସିଧାସଳଖ ମନା କରିଛି । ତେଣୁ ଏହାର ପ୍ରାସଙ୍ଗିକତା ନାହିଁ । ଏହାଛଡା ଆମେ ବିଜେପିକୁ ଧୋକା ଦେଇନାହୁଁ । ଏନଡିଏରୁ ବାହାରି ଯିବା ପାଇଁ ଆମର ଦଳର ଲୋକ ଚାହୁଁଥିଲେ  । ତେଣୁ ଏଭଳି ଏକ ନିଷ୍ପତ୍ତି ନେଲି । ଏବେ ଦେଶର ସ୍ଥିତି ଭଲ ନାହିଁ, ୨୦୨୪ ଆସୁ ଆମେ ଦେଖିନେବୁ । ଏହାବାଦ୍ ଇଡି ଓ ସିବିଆଇ ପ୍ରସଙ୍ଗକୁ ନେଇ ନୀତୀଶ କହିଛନ୍ତି, ଯଦି ଏହାର ଦୁରୁପଯୋଗ ହୁଏ ତେବେ ଜନତା ଏହାକୁ ବେଶ ଭଲ ଭାବେ ବୁଝିପାରିବେ ।

ଆରସିପି ସିଂଙ୍କୁ ନେଇ ନୀତୀଶ କହିଛନ୍ତି, ଦଳ ସହିତ ସେ ଭଲ କରିନାହାନ୍ତି । ଦଳ ତାଙ୍କୁ ବହୁତ ଗୁରୁତ୍ୱ ଦେଉଥିଲା କିନ୍ତୁ ଦଳ ହିତରେ କାମ କରିନଥିଲେ ଆରସିପି ସିଂ । ଆମେ ତାଙ୍କୁ ବହୁତ ସମ୍ମାନ ଦେଇଛୁ । ଦଳର ଅଧ୍ୟକ୍ଷ କରିଛୁ, କେନ୍ଦ୍ରମନ୍ତ୍ରୀ କରିଛୁ । କିନ୍ତୁ ଏବେ ମୋ ବିରୋଧରେ ଆରସିପି ସିଂ କହୁଛନ୍ତି । ଅନ୍ୟପଟେ ଗିରିରାଜ ସିଂଙ୍କ ବୟାନକୁ ନେଇ ନୀତୀଶ କହିଛନ୍ତି, ଯଦି ମୋ ବିରୋଧରେ କହି କାହାର ଲାଭ ହେଉଛି ତେବେ ତାହା ହେବାକୁ ଦିଅନ୍ତୁ । ଯାହାଙ୍କୁ ପୂର୍ବରୁ ତାଙ୍କ ଦଳରେ ପଚରା ଯାଉନଥିଲା ଉକ୍ତ ବ୍ୟକ୍ତି ଯଦି ମୋତେ ବିରୋଧ କରି ଦଳରେ ଗୁରୁତ୍ୱ ପାଉଛନ୍ତି ତେବେ ତାଙ୍କୁ କହିବାକୁ ଦିଅନ୍ତୁ । ଏହାଛଡା ଏବେ ଦେଶର ସ୍ଥିତି କଣ ହେଲାଣି ସେ ବାବଦରେ ମୁହଁ ଖୋଲିଛନ୍ତି ନୀତୀଶ କୁମାର । ଦେଶବାସୀଙ୍କୁ ଏବେ ମହଙ୍ଗା ଅସ୍ତବ୍ୟସ୍ତ କରିଲାଣି ବୋଲି କହିଛନ୍ତି ନୀତୀଶ ।