ବିରୋଧୀେମେଣ୍ଟର ନୂଆ ନାଁକୁ ନେଇ ତେଜିଲା ରାଜନୀତି, ‘ଇଣ୍ଡିଆ’ ନାଁକୁ ନେଇ ନୀତୀଶ କୁମାର ନାପସନ୍ଦ କରୁଥିବା ଚର୍ଚ୍ଚା

314

କନକ ବ୍ୟୁରୋ : ବିରୋଧୀମେଣ୍ଟର ନୂଆ ନାମ ଇଣ୍ଡିଆକୁ ନେଇ ତେଜୁଛି ରାଜନୀତି । ଇଣ୍ଡିଆ ନାଁକୁ ନେଇ ବିଜେପି ଓ ବିରୋଧୀ ମଧ୍ୟରେ କଥାକଟି ଚାଲିଥିବାବେଳେ ଏବେ ଏଥିରେ ଆସିଛି ବଡ ଟୁଇଟ୍ । କାରଣ ଇଣ୍ଡିଆ ନାଁକୁ ନେଇ ବିରୋଧୀ ଓ ବିଜେପି କଥାକଟି ହେଉଥିବାବେଳେ ଏବେ ମେଂଟର ସୁତ୍ରଧର କୁହାଯାଉଥିବା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଇଣ୍ଡିଆ ନାଁକୁ ପସନ୍ଦ କରୁନଥିବା ଚର୍ଚ୍ଚା ହେଉଛି । ବୈଠକରେ ମେଂଟର ନାଁ ଇଣ୍ଡିଆ କାହିଁକି ରଖାଯିବ ବୋଲି ପ୍ରଶ୍ନ କରିଥିଲେ ନୀତିଶ । ଏହି ନାଁ ଏନଡିଏ ସହ ମେଂଟ ଭଳି ଲାଗୁଥିବା କହି ଏହାକୁ ବଦଳାଇବାକୁ ପରାମର୍ଶ ଦେଇଥିବା ଚର୍ଚ୍ଚା ହେଉଛି । ଜେଡିୟୁ ମେଂଟ ପାଇଁ ଦୁଇଟି ନାଁ ‘ପ୍ରସ୍ତାବ ଦେଇଥିବା କୁହାଯାଉଛି । ସେହିଭଳି ବାମଦଳ ମଧ୍ୟ ଗୋଟେ ନାଁ ପ୍ରସ୍ତାବ ଦେଇଥିଲା । ସବୁଠୁ ବଡ କଥା ହେଉଛି କାଲି ବୈଠକ ସରିବା ପରେ ଜେଡିୟୁ ଓ ଆରଜେଡି ମିଳିତ ସାମ୍ବାଦିକ ସମ୍ମିଳନୀରେ ସାମିଲ ନହୋଇ ବିହାର ଫେରି ଆସିବା ଘଟଣା ନିଆଁରେ ଘିଅ ଢାଳିବା କାମ କରୁଛି । ଘଟଣାକୁ ନେଇ କଂଗ୍ରେସ ମଧ୍ୟ ଜବାବ ରଖିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ମଙ୍ଗଳବାର ଯେତେବେଳେ ଇଣ୍ଡିଆ ନାଁ ଘୋଷଣା କରାଗଲା ପ୍ରଥମେ ଏହାକୁ ଇଣ୍ଡିଆନ ନ୍ୟାସସନାଲ ଡେମୋକ୍ରେଟିକ ଇନକ୍ୟୁସିଭ ଆଲାଏନ୍ସ କୁହାଗଲା ପରେ ତ୍ରୁଟିକ ସୁଧାରି ଇଣ୍ଡିଆର ଅର୍ଥ ନ୍ୟାସନାଲ ଡେଭଲେପମେଂଟାଲ ଇନକ୍ୟୁସିଭ ଆଲାଏନ୍ସ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ଼ ଖଡ଼ଗେ ସ୍ପଷ୍ଟ କଲେ । ଏହାକୁ ଟାର୍ଗେଟ କରି ବିଜେପି କହିଛି ଯେଉଁଠି ନାଁକୁ ନେଇ ଦ୍ୱନ୍ଦ ରହିଛି ସେଠି ଏକତାର ସ୍ଥାୟିତ୍ୱ କେତେଦିନ । ଯେଉଁମାନେ ଗୋଟେ ଶଦ୍ଧକୁ ନେଇ ସହମତ ହୋଇପାରୁନାହାଁନ୍ତି ସେମାନେ ଦେଶକୁ କେମିତି ଚଳାଇବେ । ବିରୋଧୀ କହିଛନ୍ତି ବିଜେପି ଭ୍ରମ ସୃଷ୍ଟି କରୁଛି ।

ଏବେ ପ୍ରଶ୍ନ ଉଠୁଛି ମେଂଟର ନାଁକୁ ନେଇ ଯଦି ବିରୋଧୀଙ୍କ ମନ ମିଶୁନି ତେବେ ଆଗକୁ ବିଜେପି ବିରୋଧରେ ଏମାନଙ୍କ ୨୪ ରଣନୀତି କିଭଳି ମଜବୁତ ହେବ । ମନ ମିଶାଇ ୨୬ ବିରୋଧୀଦଳ ବିଜେପି ବିରୋଧରେ ଯେଉଁ ମୋର୍ଚ୍ଚା ବାହାର କରିଛନ୍ତି ତା କେତେ ଦୂର ସଫଳ ହେବ ।