୨୦୨୪ରେ ବିପକ୍ଷ ଏକଜୁଟ୍ ହେଲେ ଭଲ ଫଳାଫଳ ମିଳିବ, ସେତେବେଳେ ବିଜେପିକୁ ଉଚିତ୍ ଶିକ୍ଷା ମିଳିବ । ବିଜେପିକୁ ବାଣ ମାରିଲେ ବିହାର ମୁଖ୍ୟମନ୍ତ୍ରୀ । 

104

କନକ ବ୍ୟୁରୋ : ନୀତିଶଙ୍କ ଟାର୍ଗେଟରେ ବିଜେପି । ମଣିପୁରରେ ଜେଡିୟୁ ବିଧାୟକଙ୍କୁ ବିଜେପିରେ ସାମିଲ କରାଯିବା ପରେ ନୀତିଶ କହିଛନ୍ତି ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । ଦେଶରେ ଏବେ ନୂଆ ରାଜନୀତି ଆରମ୍ଭ ହେଉଛି । ଅନ୍ୟ ଦଳକୁ ଭାଙ୍ଗିବା ସମ୍ପୂର୍ଣ୍ଣ ଭୁଲ । ଆଉ ଏଭଳି କାର୍ଯ୍ୟ କରୁଥିବା ଦଳକୁ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ୨୦୨୪ରେ ସବୁ ବିରୋଧୀ ଦଳ ମିଶି ନିଶ୍ଚୟ ଶିକ୍ଷା ଦେବେ ।

ନୀତିଶ କହିଛନ୍ତି ଯଦି, ୨୦୨୪ରେ ବିରୋଧୀ ଦଳ ଏକଜୁଟ୍ ହୁଅନ୍ତି ତେବେ ବହୁତ ଭଲ ଫଳାଫଳ ଆସିବ । ୨୦୨୪ ପରେ ଉକ୍ତ ଦଳକୁ ଆମେ ଉଚିତ୍ ଶିକ୍ଷା ଦେବୁ । ଏପରିକି ଖୁବଶୀଘ୍ର ଦିଲ୍ଲୀ ଯାଇ ଅନ୍ୟ ନେତାଙ୍କୁ ଭେଟିବି ବୋଲି କହିଛନ୍ତି ନୀତିଶ ।

ମଣିପୁର ଘଟଣାକୁ ନେଇ ନୀତିଶ କହିଛନ୍ତି, ଯେଉଁ ଜେଡିୟୁ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି । ସେହି ବିଧାୟକ ମାନେ ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ସପକ୍ଷରେ ଥିଲେ । ଏପରିକି ଯେତେବେଳେ ମହାଗଠନବନ୍ଧନ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲି ସେତେବେଳେ ଏହି ବିଧାୟକ ମାନେ ଖୁସି ଜାହିର କରିଥିଲେ । କିନ୍ତୁ ଏବେ ଦେଶରେ ଯାହା ହେଉଛି ତାହା ଲୋକତନ୍ତ୍ର ପାଇଁ ଆଦୌ ଭଲ ସଂକେତ ନୁହେଁ । କୌଣସି ଦଳକୁ ଭାଙ୍ଗି ନିଜ ସପକ୍ଷକୁ ନେତାଙ୍କୁ ନେବା ଆଦୌ ଠିକ୍ ନୁହେଁ ।

ଏହାସହ ନୀତିଶ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପି ଏଭଳି ଅନେକ ରାଜ୍ୟରେ ଅନ୍ୟ ଦଳ ସହ ମିଶି ସରକାର ଗଢିଛି ଯେଉଁମାନଙ୍କ ଉପରେ ପୂର୍ବରୁ ଦଳ ପକ୍ଷରୁ ଦୁର୍ନୀତି ଅଭିଯୋଗ ଆଣିଥିଲା  । ଏଭଳି ସ୍ଥଳେ ଦୁର୍ନୀତିଖୋରଙ୍କୁ କିଏ ଘଣ୍ଟ ଘୋଡାଉଛି । ଏସବୁ ଭିତରେ ମଣିପୁରରେ ଜେଡିୟୁ ବଡ଼ ଝଟକା ଲାଗିଛି । ଦଳର ୬ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ସାମିଲ ହୋଇଛନ୍ତି ।  ମଣିପୁରରେ ଜେଡିୟୁକୁ ଭାଙ୍ଗିବା ପଛରେ ଅମିତ ଶାହା ଓ ମୋଦୀଙ୍କ ହାତ ଥିବା ନେଇ କହିଥିଲା ଦଳ । ଏହାପୂର୍ବରୁ ଅରୁଣାଚଳ ପ୍ରଦେଶରେ ମଧ୍ୟ ୭ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଥିଲା ବିଜେପି ।