ବେଳ ଥାଉ ଥାଉ ବାଟ କାଟିଲେ ନୀତିଶ୍: ଏନଡିଏ ସହ ଭାଙ୍ଗିଲେ ମେଂଟ, ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

174

କମକ ବ୍ୟୁରୋ: ମହାରାଷ୍ଟ୍ର ଭଳି ବିହାରରେ ବିଜେପିର ଅପରେସନ ଲୋଟସ ପୂର୍ବରୁ ସତର୍କ ହୋଇ ଆଗୁଆ ପଦକ୍ଷେପ ନେଇଛନ୍ତି ନୀତିଶ କୁମାର । ମେଂଟ ସହଯୋଗ ବିଜେପି ତାଙ୍କ ଦଳକୁ ହାଇଜାକ କରିନେବା ଆଶଙ୍କା କରି ତା ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି । ଦଳୀୟ ବୈଠକରେ ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା ପରେ ନୀତିଶ୍ ଏନଡିଏ ସହ ମେଂଟ ଭାଂଗିବା ନେଇ ଘୋଷଣା କରିଛନ୍ତି । ଏଥିସହ ରାଜ୍ୟପାଳ ଫାଗୁ ଚହ୍ୱାନଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ।

ନୀତିଶ କୁମାର ପଦରୁ ଇସ୍ତଫା ଦେଇଥିଲେ ବି ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଏଥିପାଇଁ ସେ ଆରଜେଡି, କଂଗ୍ରେସ ଓ ବାମଦଳ ସହ ମିଶି ସରକାର ଗଢ଼ିବାକୁ ଦାବି ଜଣାଇଛନ୍ତି । ତାଙ୍କୁ ୧୬୦ ବିଧାୟକଙ୍କ ସମର୍ଥନ ଥିବା ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଛନ୍ତି । ନୀତିଶ ଦାବି ପତ୍ରରେ ଦର୍ଶାଇଛନ୍ତି ତାଙ୍କୁ..

ଆରଜେଡି -୭୯
ଜେଡିୟୁ- ୪୫
କଂଗ୍ରେସ- ୧୯
ବାମଦଳ-୧୬
ଅନ୍ୟାନ୍ୟ -୧
ମୋଟ୍ – ୧୬୦

ବିଧାୟକଙ୍କ ସମର୍ଥନ ରହିଛି । ଅର୍ଥାତ ପୁଣି ସରକାର ଗଢ଼ିବାକୁ ଯେତିକି ବିଧାୟକଙ୍କ ସମର୍ଥନ ଆବଶ୍ୟକ ତାଠୁ ଢ଼େର ଅଧିକ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଅଛି । ସେପଟେ ଆରଜେଡି ଓ କଂଗ୍ରେସ ଶିବିର ମଧ୍ୟ ଚଳଚଂଚଳ ହୋଇଛି । ନୀତିଶ କୁମାର ବିଜେପିର ହାତ ଛାଡି ପୁଣି ଥରେ ମହାମେଂଟରେ ସାମିଲ ହେବା ସ୍ପଷ୍ଟ ହୋଇଯିବା ପରେ ସେ ଏବେ ସାରାଦେଶରେ ଚର୍ଚ୍ଚାରେ ରହିଛନ୍ତି । କ୍ଷମତାରେ ରହିବା ପାଇଁ ସେ ବାରମ୍ବାର ସହଯୋଗୀଙ୍କ ହାତ ଛାଡୁଥିବା ଅଭିଯୋଗ ହେଉଛି ।

ନୀତିଶଙ୍କ ଜେଡିୟୁ ପକ୍ଷରୁ କୁହାଯାଇଛି, ନୀତିଶଙ୍କୁ ଶେଷ କରିବା ପାଇଁ ଷଡଯନ୍ତ୍ର କରୁଥିଲା ବିଜେପି । ଦଳରେ ଆଉ ଏକ କ୍ଷମତା କେନ୍ଦ୍ର ସୃଷ୍ଟି କରିବାକୁ ଯୋଜନା କରୁଥିଲା ଭାରତୀୟ ଜନତା ପାର୍ଟି । ଯାହା ଜାଣିପାରିଥିଲେ ନୀତିଶ୍ କୁମାର । ଷଡଯନ୍ତ୍ରର ଗନ୍ଧ ବାରି ଆଗୁଆ ପଦକ୍ଷେପ ନେଇଛନ୍ତି ନୀତିଶ୍ । ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛି ବିଜେପି । ନୀତିଶ କୁମାରଙ୍କ ଏହି ପଦକ୍ଷେପ ଗୋଟିଏ ବାର୍ତା ଦେଉଛି । ତାଙ୍କ ପାଇଁ କେହି ସବୁଦିନ ପାଇଁ ଶତ୍ରୁ ନୁହଁନ୍ତି କି କେହି ମିତ୍ର ନୁହଁନ୍ତି । ରାଜନୈତିକ ସୁବିଧା ଦୃଷ୍ଟିରୁ ସେ ଯେ କୌଣସି ପାର୍ଟିର ହାତ ଧରି ପାରନ୍ତି, ପୁଣି ଛାଡି ପାରନ୍ତି ।

ନୀତିଶ୍ କୁମାର ଏମିିତି ଜଣେ ନେତା ଯିଏ ସମାଜବାଦୀଙ୍କ ସହ କାମ କରିଛନ୍ତି, କଂଗ୍ରେସ ସହ କାର୍ଯ୍ୟ କରିଛନ୍ତି, ବାମପନ୍ଥୀଙ୍କ ସହ ରହିଛନ୍ତି, ଦକ୍ଷିଣପନ୍ଥୀଙ୍କ ସହ ମିଶି ସରକାର ଗଠନ କରିଛନ୍ତି । କିନ୍ତୁ ଯେତେବେଳେ ସେ କୌଣସି ବିପଦର ଆଶଙ୍କା କରିଛନ୍ତି, ସେ ସେହି ଦଳ ବା ମେଂଟର ହାତ ଛାଡି ଦେଇଛନ୍ତି ।