ନିଆଳି ରହସ୍ୟ ଘଟଣାରେ ସରକାରଙ୍କ ବୟାନ : ଜଙ୍ଗଲ ମନ୍ତ୍ରୀ କହିଲେ, ରାମଶିଆଳ କରୁଛି ମେଣ୍ଢା ଶିକାର

83

କନକ ବ୍ୟୁରୋ : ନିଆଳିର ମେଣ୍ଢା ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବୟାନ୍, ଏହି ପୂରା ଘଟଣାର ଚର୍ଚ୍ଚାର ମୋଡକୁ ବଦଳାଇ ଦେଇଛି । ମନ୍ତ୍ରୀ କହିଛନ୍ତି ,ମେଣ୍ଢା ମୃତ୍ୟୁ ପଛରେ ରହିଛି ରାମଶିଆଳ । ବନବିଭାଗର ୩ଟି ଟିମର ଛାନଭିନ୍ ପରେ ଭଅଁରାଗଡ଼ ଜଙ୍ଗଲରୁ ଠାବ ହୋଇଛି ରାମଶିଆଳର ପାଦ ଚିହ୍ନ । ସନ୍ଦେହ କରାଯାଉଛି ଏହାର ଆଖପାଖ ଅଂଚଳରେ ଦଳ ବାନ୍ଧି ରହୁଛନ୍ତି ରାମଶିଆଳ । ଆଉ କାବୁ କରିବା ପାଇଁ ଚାଲିଛି ଯୋଜନା ।

ଭୟଭୀତ ନହେବା ପାଇଁ ସବୁ ମହଲରୁ ଅନୁରୋଧ କରାଯାଉଥିଲେ ବି ମାନୁନି ଲୋକଙ୍କ ମନ । ଟାୟାର ଓ ମଶାଲ୍ ଜାଳି ,ରାତି ଅଧରେ ବାହାରି ପଡୁଛନ୍ତି ସେହି ଅଜଣା ଜନ୍ତୁ ସନ୍ଧାନରେ । ରାତି ଉଜାଗର ରହି ,ହୋ ହାଲ୍ଲା ଭିତରେ ଖୋଜା ଚାଲିଛି ମେଣ୍ଢା ମୃତ୍ୟୁର ରହସ୍ୟ । ମେଣ୍ଢା ମୃତ୍ୟୁର ଆତଙ୍କ ଭିତରେ ନିଆଳି କଂଟାପଡ଼ା ଗାଁରେ ପହଂଚିଛନ୍ତି ଜଣେ ତାନ୍ତ୍ରିକ । ଅଦୃଶ୍ୟ ଜନ୍ତୁ ଦାଉରୁ ରକ୍ଷା ପାଇଁ ମନ୍ତ୍ରତନ୍ତ୍ରର ଆଶ୍ରୟ ନେଇଛନ୍ତି ଲୋକେ । ଅଜଣା ଆତଙ୍କ ଲୋକଙ୍କୁ ଅନ୍ଧବିଶ୍ୱାସ ଆଡକୁ ଟାଣି ନେଉଥିବା ବେଳେ ତାନ୍ତ୍ରିକ କହୁଛନ୍ତି ଭୂତ କିମ୍ବା ଅଲୌକିକ ଶକ୍ତିର ଏହା କାମ ନୁହେଁ ।

କିଏ ମାରୁଛି ମେଣ୍ଢା । ମଣିଷ ନା’ ପଶୁ । ଏହା ପଛର ସତ ଜାଣିବା ପାଇଁ ତୃତୀୟ ଦିନରେ ନିଆଳିର ଘନ ଅନ୍ଧକାରରେ ରାତି ବିତାଇଛି କନକ ନ୍ୟୁଜ୍ କ୍ୟାମେରା ଟିମ୍ । ରାତିସାରା ବୁଲିବା ପରେ ବି କୌଣସି ସନ୍ଧାନ ମିଳୁନି ସତ, କିନ୍ତୁ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ନୂଆ ନୂଆ କାହାଣୀ । ହେଲେ ଏବେବି ରହସ୍ୟ ଘେରରେ ରହିଛି ନିଆଳି ମେଣ୍ଢା ମୃତ୍ୟୁ ଘଟଣା । ଆଉ କେବେ ପୂରା ଘଟଣା ଉପରୁ ପରଦା ହଟିବ ତାକୁ ଅପେକ୍ଷା କରାଯାଇଛି ।