ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଡାକ୍ତରଖାନା ଶୌଚାଳୟରୁ ନବଜାତର ମୃତଦେହ ଉଦ୍ଧାର । ମିଳିନି ପରିଚୟ । 

143

କନକ ବ୍ୟୁରୋ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା  । ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ଶୌଚାଳୟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ମେଡିସିନ ୱାର୍ଡର ମହିଳା ଶୌଚାଳୟରୁ ମୃତଦେହକୁ ଉଦ୍ଧାର କରାଯାଇଛି  । ସଫେଇ କର୍ମଚାରୀ ଶୌଚାଳୟ ସଫା କରିବା ସମୟରେ ଶିଶୁର ମୃତଦେହ ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ  । ଏନେଇ ଟାଉନ ଥାନା ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି  । ତେବେ ଶିଶୁ ଟି କାହାର ? ମେଡିକାଲ ଶୌଚାଳୟକୁ କିପରି ଆସିଲା ? ସେ ନେଇ ତଦନ୍ତ ଆରମ୍ଭ ହୋଇଛି  ।

ସେପଟେ ମହିଳା ମେଡିସିନ ୱାର୍ଡ କିମ୍ବା ପ୍ରସୂତି ୱାର୍ଡରେ କୌଣସି ଶିଶୁଙ୍କ ମୃତ୍ୟୁ ହୋଇ ନଥିବା ସ୍ପଷ୍ଟ କରିଛନ୍ତି ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ  । ସର୍ବସାଧାରଣ ଶୌଚାଳୟ ହୋଇଥିବାରୁ କେହି ବାହାର ବ୍ୟକ୍ତି ମୃତଦେହକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି  । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଡାକ୍ତରଖାନାର ସିସିଟିଭି ଫୁଟେଜ ଅଧାରରେ ତଦନ୍ତ ଆରମ୍ଭ କରିଛି  ।