ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟକା । ଦିନିକିଆ ବିଶ୍ୱକପ୍ ଖେଳିନପାରନ୍ତି କେନ୍ ୱିଲିୟମସନ୍ । ଜାଣନ୍ତୁ, ଏହା ପଛର କାରଣ…

289

କନକ ବ୍ୟୁରୋ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ପାଇଁ ଆସିଛି ଖରାପ ଖବର । ଦଳର ଅଧିନାୟକ ଥିବା କେନ୍ ୱିଲିୟମସନ୍ ଏଥର ଦିନିକିଆ ବିଶ୍ୱକପରୁ ବାଦ୍ ପଡିପାରନ୍ତି । ଆଇପିଏଲ୍ ଖେଳୁଥିବା ସମୟରେ କେନ୍ ଆହତ ହୋଇଥିଲେ । ଗୁଜରାଟ ପକ୍ଷରୁ ମ୍ୟାଚ୍ ଖେଳୁଥିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଏହି କାରଣରୁ ସେ ଆଗାମୀ ବିଶ୍ୱକପକୁ ମିସ୍ କରିପାରନ୍ତି ବୋଲି ସୂଚନା ମିଳିଛି ।

ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଆହତ ହେବା ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି । ମଙ୍ଗଳବାର ତାଙ୍କ ସ୍କାନିଂ ହୋଇଥିଲା । ଏଥିରେ ତାଙ୍କ ଡାହାଣ ଗୋଡର ଆଣ୍ଠୁରେ ଅସ୍ତ୍ରୋପୋଚାର ହେବାର ଆବଶ୍ୟକତା ଅଛି ବୋଲି ଜଣାପଡିଛି । ତେଣୁ କୁହାଯାଉଛି ଆସନ୍ତା ଦୁଇରୁ ତିନି ସପ୍ତାହ ଭିତରେ ତାଙ୍କର ଅପରସେନ୍ ହୋଇପାରେ । ତେବେ ଜାଣିରଖିବା ଉଚିତ୍ ଯେ, ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳୁଥିବା ସମୟରେ ଆହତ ହୋଇଥିଲେ କେନ୍ ୱିଲିୟମସନ୍ ।

ନ୍ୟୁଜିଲାଣ୍ଡ କ୍ରିକେଟର ବୟାନ ମୁତାବକ, ଆସନ୍ତା ଦୁଇରୁ ତିନି ସପ୍ତାହ ଭିତରେ କେନ୍ ୱିଲିୟମସନଙ୍କ ଅପରେସନ୍ ହୋଇପାରେ । ଅପରେସନ୍ ହେବା ପରେ ତାଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ହେବ । ଏହି କାରଣରୁ ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ସେ ବାଦ୍ ପଡିପାରନ୍ତି । ବିଶ୍ୱକପ୍ ବେଳକୁ ସେ ପୂରାପୂରି ଫିଟ୍ ହେବା ଅସମ୍ଭବ ଅଟେ । ତେଣୁ ଏଥର ନୂଆ ଅଧିନାୟକଙ୍କ ସହିତ ନ୍ୟୁଜିଲାଣ୍ଡ ଦିନିକିଆ ବିଶ୍ୱକପ୍ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି ।

ନ୍ୟୁଜିଲାଣ୍ଡର କୋଚ୍ ମଧ୍ୟ ସେହି ସମାନ କଥା କହିଛନ୍ତି, ତାଙ୍କ କହିବା ମୁତାବକ, ବିଶ୍ୱକପ୍ ପୂର୍ବରୁ କେନ୍ ୱିଲିୟମସନ୍ ଫିଟ୍ ହେବା ଅସମ୍ଭବ ମନେ ହେଉଛି । ହେଲେ ଆମେ ଏବେ ବି ଆଶା ଛାଡିନୁ । ତେବେ ବର୍ତ୍ତମାନର ସ୍ଥିତିକୁ ଦେଖି ଏହା କିନ୍ତୁ ଅସମ୍ଭବ ଲାଗୁଛି । ଆମ ସମସ୍ତଙ୍କର ଭାବନା କେନଙ୍କ ସହ ଅଛି । ଏହା ତାଙ୍କ ପାଇଁ ଏକ କଠିନ ସମୟ । ଏପରି ଆଘାତ, ଜଣେ ଖେଳାଳି ପାଇଁ ଝଟକା ବୋଲି ନ୍ୟୁଜିଲାଣ୍ଡର କୋଚ୍ କହିଛନ୍ତି ।