ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ । କହିଲେ, ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ ।

108

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୁଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ ଦୁଃଖପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ।

ଏହି ଘଟଣାକୁ ଦୁଃଖଦାୟକ କହିବା ସହ ଓଡ଼ିଶାର ମହାନ ବିଭୂତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ବେଳେ ପ୍ରଶାସନ ଅଧିକ ସମ୍ବେଦନଶୀଳ ଓ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଅନୁଗୁଳ ପ୍ରଶାସନ ଦ୍ୱାରା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ବାରମ୍ବାର ବିକୃତ ପ୍ରତିମୂର୍ତ୍ତି ସ୍ଥାପନ ଲୋକଙ୍କୁ ଆଘାତ ଦେଇଛି । ପ୍ରଶାସନ ଯଥାଶୀଘ୍ର ସ୍ୱର୍ଗତ ଚୌଧୁରୀଙ୍କ ପରିବାର ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବରପୁତ୍ରଙ୍କ ସଠିକ୍ ପ୍ରତିମୂର୍ତ୍ତି ନିର୍ମାଣ କରି ପୁନଃସ୍ଥାପନ କରିବା ସହ ଯଥୋଚିତ ସମ୍ମାନ ଦେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଯାଇଥିଲା । ସବୁଆଡ଼ୁ ବି‌ରୋଧ ହେଲା ପରେ ଏନେଇ ଭୁଲ ମାଗିଥିଲେ ନଗରପାଳ। ଏହାପରେ ପ୍ରତିମୂର୍ତ୍ତି ଭାଙ୍ଗି ଆଉ ଥରେ ଠିକ୍‌ ପୋଷାକ ପିନ୍ଧାଯିବ ବୋଲି କୁହାଯାଇଥିଲା ଆଉ ରାତାରାତି ଭାଙ୍ଗି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଯାଇଥିଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମି ନଥିଲା । ନବବାବୁ ଆଣ୍ଠୁ ଲୁଚୁନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଥିଲା । ତେବେ ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ନବପ୍ରେମୀ। ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ ।