ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କଲେ ନୂଆ ବିଧାୟକ । ପ୍ରଥମ କରି ଆସିଥିବା ବିଧାୟକଙ୍କ ମଧ୍ୟରେ ଉତ୍ସାହ ।

ଏଥର ବିଧାନସଭାରେ ୮୨ ନୂଆ ବିଧାୟକ ।

538

କନକ ବ୍ୟୁରୋ: ବିଧାନସଭାରେ ଆରମ୍ଭ ହୋଇଛି ବିଧାୟକଙ୍କ ଶପଥ ପାଠ । ଏଥର ବିଧାନସଭାକୁ ୮୨ ଜଣ ନୂଆ ବିଧାୟକ ଆସିଛନ୍ତି । ପ୍ରଥମ କରି ବିଧାନସଭାକୁ ଆସିଥିବା ବିଧାୟକଙ୍କୁ ଟିକେ ଅଲଗା ଢଙ୍ଗରେ ଦେଖିବାକୁ ମିଳିଥିଲା । ବେଶ୍ ଖୁସି ଥିଲେ ନୂଆ କରି ନିର୍ବାଚିତ ହୋଇଥିବା ବିଧାୟକମାନେ । ବିଧାନସଭାର ପବିତ୍ର ଗୃହକୁ ପ୍ରବେଶ କରିବା ପୂର୍ବରୁ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ । ଜଣେ କି ଦୁଇ ଜଣ ନୁହେଁ ଅନେକ ନବ ନିର୍ବାଚିତ ବିଧାୟକଙ୍କୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା ।

ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ । ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଶପଥ ଗ୍ରହଣ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ । ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପାସଧାରୀ ବ୍ୟକ୍ତିଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ରହିଛି । ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ନିଜେ ପୋଲିସ କମିଶନର ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ।