ପାକିସ୍ତାନରୁ ଭିଡିଓ ଜାରି କଲେ ଭାରତୀୟ ମହିଳା ଅଂଜୁ । କହିଲେ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବାକୁ ଆସିଛନ୍ତି ପାକିସ୍ତାନ, ଖୁବଶିଘ୍ର ଫେରିବେ ଭାରତ

627

କନକ ବ୍ୟୁରୋ : ପାକିସ୍ତାନରେ ବସି ଅଂଜୁ ସେହି ସବୁ ଦାବିକୁ ଖଣ୍ଡନ କରିଛନ୍ତି ଯାହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନରେ ବେଶ ଚର୍ଚ୍ଚା ହେଉଛି । ଅଂଜୁ କହିଛନ୍ତି ସେ ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଆସିଛନ୍ତି । ସବୁ ବୈଧ ଦସ୍ତାବିଜ ସହ କିଛି ଦିନ ପାଇଁ ପାକିସ୍ତାନରେ ରହିବାକୁ ଆସିଛନ୍ତି ଓ ଖୁବ ଶିଘ୍ର ଭାରତ ଫେରିବେ । ଏହି ବୟାନ ସେହି ସମୟରେ ଜାରି ହୋଇଛି ଯେଉଁ ସମୟରେ ପାକିସ୍ତାନ ଗଣମାଧ୍ୟମ ଓ ଅଂଜୁଙ୍କ ପରିବାର ବିଭିନ୍ନ ଦାବି କରୁଛନ୍ତି ।

ଗୋଟେ ପଟେ ଭିଡିଓ ଜାରି କରି ଅଂଜୁ ଭାରତ ଫେରିବେ ବୋଲି କହୁଛନ୍ତି । ସବୁ ଦାବିକୁ ଖଣ୍ଡନ କରୁଛନ୍ତି । ସେପଟେ ଅଂଜୁଙ୍କ ସ୍ୱାମୀ ଅରବିନ୍ଦ କୁମାର ଦୃଢୋକ୍ତିର ସହ ଏକଥା ଦାବି କରୁଛନ୍ତି କି ଅଂଜୁ ଇସଲାମ ଧର୍ମ ଗ୍ରହଣ କରି ନସରୁଲ୍ଲାଙ୍କ ସହ ବିବାହ କରିସାରିଲେଣି ଓ ଆଉ ଏନେଇ ତାଙ୍କ ପାଖରେ ପ୍ରମାଣ ରହିଛି । ଏଥିସହ ଭାରତ ସରକାରଙ୍କୁ ଅଂଜୁଙ୍କ ଭିସା ଓ ପାସପୋର୍ଟ ରଦ୍ଧ କରିବାକୁ ସେ ଗୁହାରୀ କରିଛନ୍ତି । ଅଂଜୁଙ୍କ ପାକିସ୍ତାନ ଯିବା ଘଟଣାରେ ମର୍ମାହତ ହୋଇପଡିଛି ପୂରା ପରିବାର ।

ଅଂଜୁଙ୍କ କଥା ଓ ପାକିସ୍ତାନ ଗଣମାଧ୍ୟରେ ପ୍ରସାରଣ ହେଉଥିବା ଭିଡିଓରେ କୌଣସି ତାଳମେଳ ଖାଉନି ।

ପ୍ରଶ୍ନ ଉଠୁଛି ଯଦି ……
-ଅଂଜୁ ଇସଲାମ ଧର୍ମ ଗ୍ରହଣ କରିନାହାଁନ୍ତି ତେବେ ବୁର୍ଖା କ’ଣ ପାଇଁ ପିନ୍ଧୁଛନ୍ତି?
-କ’ଣ ପାଇଁ ପରିବାରକୁ ମିଛ କହି ପାକିସ୍ତାନ ଗଲେ?
-ଯଦି ନସରୁଲ୍ଲାଙ୍କ କେବଳ ତାଙ୍କର ଜଣେ ବନ୍ଧୁ ତେବେ ତାଙ୍କ ସହ ପ୍ରି-ୱେଡିଂ ଫଟୋସୁଟ କ’ଣ ପାଇଁ କଲେ?

ଏମିତି ଅନେକ ପ୍ରଶ୍ନ ଅଂଜୁଙ୍କ ଉପରେ ସହେନ୍ଦ ସୃଷ୍ଟି କରୁଥିବାବେଳେ ସେପଟେ ସାମ୍ନାକୁ ଆସୁଛି ଅନେକ ଭିିଡିଓ । ଚାରିପଟେ ୧୦ରୁ ଅଧିକ ଲୋକ ଓ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଗହଣରେ ଅଂଜୁ ଯାଉଥିବା ଭିଡିଓ ସହେନ୍ଦକୁ ଅଧିକ ମଜବୁତ କରିଛି । ଏବେ ଦେଖିବାକୁ ବାକି ରହିଲା ଭାରତରେ ଥିବା ପାକିସ୍ତାନୀ ମହିଳା ସୀମା ଓ ପାକିସ୍ତାନରେ ଥିବା ଭାରତୀୟ ମହିଳା ଅଂଜୁଙ୍କୁ ନେଇ ଉଭୟ ଦେଶର ସରକାର ଆଭିମୁଖ୍ୟ କ’ଣ ରହିବ ।