ସୁଧୁରୁଛି ଭାରତ-କାନାଡା ସଂପର୍କ । ୬୧ ଦିନ ପରେ କାନାଡା ନାଗରିକଙ୍କ ପାଇଁ ଭାରତ ଆରମ୍ଭ କଲା ଭିସା ସେବା

77

କନକ ବ୍ୟୁରୋ : ଭାରତ ତରଫରୁ କାନାଡା ନାଗରିକଙ୍କ ପାଇଁ ପୁଣିଥରେ ଭିସା ସେବା ଆରମ୍ଭ କରାଯାଇଛି । ସେପ୍ଟେମ୍ବର ୨୧ ତାରିଖରୁ ଭିସା ପ୍ରଦାନ କରୁଥିବା ଏଜେନ୍ସି ତରଫରୁ କିଛି କାରଣ ପାଇଁ ଏହି ସୁବିଧା ବନ୍ଦ କରିଥିଲା । ବିଏଲଏସ ଇଣ୍ଟରନ୍ୟାସନାଲ ତରଫରୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଥିଲା କି, କିଛି କାରଣ ପାଇଁ ଆଗାମୀ ସୂଚନା ପର୍ଯ୍ୟନ୍ତ କାନାଡା ନାଗରିକଙ୍କ ପାଇଁ ଭାରତୀୟ ଭିସା ସୁବିଧା ବନ୍ଦ କରାଯାଉଛି ।

ହେଲେ ଅକ୍ଟୋବର ୨୬ ତାରିଖରେ ଭାରତ ସରକାର କିଛି ସ୍ୱତନ୍ତ୍ର ଶ୍ରେଣୀର ଭିସା ସେବା ଆରମ୍ଭ କରିବା କଥା କହିଥିଲେ । ଏଥିରେ ପ୍ରବେଶ ଭିସା, ବ୍ୟବସାୟ ଭିସା, ମେଡିକାଲ ଭିସା ଓ କନଫରେନ୍ସ ଭିସା ସାମିଲ ଥିଲା । ହେଲେ ଏବେ କାନାଡା ନାଗରିକଙ୍କ ପାଇଁ ସବୁ ପ୍ରକାର ଇ-ଭିସା ଆବେଦନ ଉପରେ ସରକାର ସହମତି ପ୍ରଦାନ କରିଛନ୍ତି ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପସିଂ ନିଜ୍ଜରର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଉଭୟ ଦେଶ ମଧ୍ୟରେ ଥିବା ସଂପର୍କରେ ତିକ୍ତତା ଆସିଥିଲା । ଏବେ ଏହି ସଂପର୍କରେ କିଛିଟା ସୂଧାର ଆସିନାହିଁ । ପ୍ରଥମେ କାନାଡା ତରଫରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଟ୍ରେବଲ ଆଡଭାଇଜରୀ ଜାରି କରାଯାଇଥିଲା । ଏହାପରେ ଭାରତ ତରଫରୁ ଖଲିସ୍ତାନ ସମର୍ଥକଙ୍କ ତରଫରୁ ବିପଦକୁ ନଜରରେ ରଖି ଭାରତୀୟ ନାଗରିକଙ୍କ ପାଇଁ ମଧ୍ୟ ଆଡଭାଇଜରୀ ଜାରି କରାଯାଇଥିଲା ।