ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ନେଇ ଗାଁଠୁ ସହର ଚର୍ଚ୍ଚା । ସଫଳତା ପଛରେ ରହିଛି ମୋରଡା ବିଧାୟକଙ୍କ ହାତ

208

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗାଁଠୁ ସହର ସବୁଛି ଚର୍ଚ୍ଚା । କିନ୍ତୁ ତାଙ୍କର ଏଭଳି ସଫଳତା ପଛରେ ରହିଛି ଜଣେ ବିଜେଡି ବିଧାୟକଙ୍କ ହାତ । ଏକଥା ଆମେ କହୁନୁ ସେ ନିଜେ ଏକଥା କହିଛନ୍ତି । ସେହି ବିଧାୟକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜର ମୋରଡ଼ା ବିଧାୟକ ରାଜକିଶୋର ଦାସ । ପୂର୍ବରୁ ବିଜେପିରେ ଥିବା ରାଜକିଶୋର ଏବଂ ଦ୍ରୌପଦୀଙ୍କ ମଧ୍ୟରେ ଥିବା ଅନୁକମ୍ପା ଓ ଆନୁଗତ୍ୟର ସମ୍ପର୍କ ସାମ୍ନାକୁ ଆସିଛି ।

ଜୁନ୍ ୨୧ ତାରିଖରେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ତାଙ୍କ ରାଇରଙ୍ଗପୁରସ୍ଥିତ ଘରକୁ ସୁଭେଚ୍ଛୁଙ୍କ ସୁଅ ଛୁଟିଥିଲା । ଯେଉଁଥିରେ ସାମିଲ ଥିଲେ ବିଜେଡି ବିଧାୟକ ରାଜକିଶୋର ଦାସ । ଭିଡ ଭିତରେ ରାଜକିଶୋରଙ୍କୁ ଠିଆ ହୋଇଥିବାର ଦେଖି ତାଙ୍କୁ ବସାଇବାକୁ ବ୍ୟଗ୍ର ହୋଇପଡିଥିଲେ ଦ୍ରୌପଦୀ । ‘ରାଜୁ ମୋ ସାନ ଭାଇ’ ବୋଲି ଉଚ୍ଚାରଣ କରି ଦ୍ରୌପଦୀ କହିଥିଲେ ରାଜକିଶୋର ମୋ ହାତ ଧରି କେତେ କାମ ଶିଖାଇଥିଲେ । ତାଙ୍କୁ ମହାନ ବନେଇଲା ବାଲା ଆପଣ ବୋଲି ରାଜକିଶୋରଙ୍କୁ କହିଥିଲେ ଦୌପଦୀ ମୁର୍ମୁ ।

ଆଉ ଦୌପଦୀ ଏହି କେଇ ପଦ କଥା ଶୁଣି ଭାବବିହ୍ୱଳ ହୋଇପଡିଥିଲେ ରାଜକିଶୋର । ଏଭଳି ପ୍ରସଂଶା ପାଇଁ ସେ ହକଦାର ନୁହଁନ୍ତି, ଏହା ଆପଣଙ୍କର ମହାନତା ବୋଲି କହିଥିଲେ ବିଜେଡି ବିଧାୟକ ।  ଦୁହିଁଙ୍କ କର୍ଥାବାର୍ତ୍ତାରୁ ସେମାନଙ୍କ ମଧ୍ୟରେ ଥିବା ସ୍ନେହ, ଆନୁଗତ୍ୟ ସମ୍ପର୍କ ବେଶ ବାରି ହୋଇପଡୁଥିଲା । ୧୯୯୨ରେ ବିଜେପି ନେତା ରାଜକିଶୋର ଦାସ ରାଇରଙ୍ଗପୁର ଏନଏନସି ଅଧ୍ୟକ୍ଷ ଥିବା ସମୟରେ ଦ୍ରୌପଦୀଙ୍କ ନିର୍ଭିକ ବ୍ୟକ୍ତିତ୍ୱ ଏବଂ ସମାଜସେବା ପ୍ରତି ଥିବା ତାଙ୍କ ଆଗ୍ରହକୁ ଦେଖି ତାଙ୍କ ରାଜନୀତିକୁ ଆସିବାକୁ କହିଥିଲେ । ହେଲେ ଏଥିରେ ପ୍ରଥମେ ଏଥିରେ ରାଜି ହୋଇନଥିବା ଦ୍ରୌପଦୀ ପରେ ରାଜନୀତିରେ ପାଦ ରଖିଥିଲେ ।