ଏବେ ପିଲାମାନେ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ପିଲା ପଢିବେ ଭାରତ । ପ୍ରସ୍ତାବକୁ କମିଟି ଦେଲା ମଞ୍ଜୁରୀ

183

କନକ ବ୍ୟୁରୋ : ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ପ୍ୟାନେଲ ତରଫରୁ ସମସ୍ତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି କମିଟିର ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନିଆଯାଇଛି । ଏନସିଇଆରଟି ପୁସ୍ତକର ଆଗାମୀ ସେଟରେ ଏହି ପରିବର୍ତ୍ତନ ନଜରକୁ ଆସିବ । ସୂଚନା ଥାଉ କି, ଏହି ପ୍ରସ୍ତାବ କିଛିମାସ ପୂର୍ବରୁ ଦିଆଯାଇଥିଲା । ଏବେ ଏହା ଔପଚାରିକ ସମର୍ଥନ ଲାଭ କରିଛି ।

ଏନସିଇଆରଟିର ତରଫରୁ ଏହି ନିଷ୍ପତ୍ତି ସେତେବେଳେ ନିଆଯାଇଛି, ଯେତେବେଳେ ରାଜନୀତି ମହଲରେ ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗ ସରଗରମ ରହିଛି । ଏହି ବିବାଦ ସେତେବେଳେ ମୁଣ୍ଡ ଟେକିଥିଲା ଯେତେବେଳେ ଜି-୨୦ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଯେଉଁ ଭୋଜିର ଆୟୋଜନ କରିଥିଲେ ସେହି ଭୋଜି ପାଇଁ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ବୋଲି ଲେଖାଯାଇଥିବାର ଦେଖିବାକୁ ମିଳିଥିଲା । ଏହା ପରେ ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ବୟାନବାଜୀ କରିଥିଲେ । ହେଲେ ତା ପରେ ମଧ୍ୟ ଅନେକ ସାର୍ବଜନୀନ ମଞ୍ଚରେ ଇଣ୍ଡିଆ ପରିବର୍ତ୍ତେ ଭାରତ ବୋଲି ଲେଖାଯାଇଥିବାର ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ କାର୍ଯ୍ୟକ୍ରମରେ ତାଙ୍କ ନେମ୍ ପ୍ଲେଟ ଉପରେ ପ୍ରାଇମ ମିନିଷ୍ଟର ଅଫ୍ ଭାରତ ବୋଲି ଲେଖାଯାଇଥିବାର ଦେଖିବାକୁ ମିଳିଛି ।