ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ନବୀନ: କହିଲେ, ସୌଜନ୍ୟ ମୂଳକ ସାକ୍ଷାତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହେଲା ଆଲୋଚନା

155

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା, ଏକ ଏଭଳି ସମୟରେ ହୋଇଛି, ଯେତେବେଳେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଆବଶ୍ୟକ କରୁଛନ୍ତି, ଅନ୍ୟପଟେ ମୋଦୀ ସରକାର ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଆବଶ୍ୟକ କରୁଛନ୍ତି । ଅବଶ୍ୟ ସାକ୍ଷାତ ଆଲୋଚନା ପରେ ନବୀନ କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ।

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଚାଲିଛି ଓ ଅନ୍ୟ ପଟେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଅଛି । ଯଦି କୌଣସି ଆଇନଗତ କାରଣ ପାଇଁ ପରିକ୍ରମା ପ୍ରକଳ୍ପ ଅଟକି ଯାଏ, ତେବେ ଏହା ରାଜ୍ୟ ସରକାରଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ । ଏବଂ ରାଷ୍ଟ୍ରପତି ନିର୍ବାଚନରେ ଯଦି ବିଜେଡି ସରକାର କେନ୍ଦ୍ରକୁ ସମର୍ଥନ ନକରେ, ତେବେ ମୋଦୀ ସରକାର ପାଇଁ ମଧ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ।

ରାଜନୀତିର ଏହି ଦୁଇ ନେତା ନିଜ ନିଜ ସ୍ଥାନରେ ଅପ୍ରତିଦ୍ୱନ୍ଦ୍ୱୀ ନେତା । ନିର୍ବାଚନ ରଣନୀତି ହେଉ, ଜନତାର ମୁଡ୍ ଜାଣିବା ହେଉ, ବିରୋଧୀକୁ ମାତ୍ ଦେବା ହେଉ, ସବୁଥିରେ ଏମାନେ ଏକ ନମ୍ବର । ଆଗକୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଦୀ ସରକାରଙ୍କୁ ନବୀନଙ୍କ ସମର୍ଥନର ଆବଶ୍ୟକତା ପଡ଼ିପାରେ । କାରଣ ସହଯୋଗୀ ନୀତୀଶ କୁମାର ଭିନ୍ନ ଆଭିମୁଖ୍ୟ ଦେଖାଇଲେଣି । ବିଜେପି ଛାଡ଼ି ଆର୍ଜେଡି ସହ ଗଠବନ୍ଧନ ନେଇ ଚର୍ଚ୍ଚା ହେଉଛି । ଏସବୁ ଭିତରେ ନବୀନଙ୍କ ସହଯୋଗ ବେଶୀ ଜରୁରୀ ହୋଇପଡ଼ିଛି ।

ଏପଟେ ପୁରୀ ପରିକ୍ରମା ପ୍ରକଳ୍ପ, ନବୀନ ସରକାର ପାଇଁ ଏକ ଆହ୍ୱାନ ବନିଯାଇଛି । ଗୋଟିଏ ପଟେ ବିଜେପି ଆକ୍ରମଣାତ୍ମକ ଭୂମିକା ନେଉଛି, ଅନ୍ୟପଟେ ପ୍ରତ୍ନତତ୍ୱ ବିଭାଗ ଏଏସଆଇ କହୁଛି, ସେମାନେ ଅନୁମତି ଦେଇନାହାନ୍ତି । ଏଭଳି ପରିସ୍ଥିତିରେ ଏହା ନବୀନ ସରକାରଙ୍କ ପାଇଁ ଏକ ମର୍ଯ୍ୟାଦାର ପ୍ରଶ୍ନ ହୋଇଯାଇଛି । ତେବେ ଏହି ସାକ୍ଷାତ ଆଲୋଚନା ଅନେକ ଅକୁହା ଓ ଜଟିଳ ରାଜନୈତିକ ପ୍ରସଙ୍ଗକୁ ସହଜରେ ସମାଧାନ କରିଦେଇପାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।