ଝାରସୁଗୁଡାରେ ନବ ଦାସଙ୍କ ହେବ ଅନ୍ତିମ ସଂସ୍କାର : କିଛି ସମୟ ପରେ ବିଜେଡି କାର୍ଯ୍ୟାଳୟକୁ ନିଆଯିବ

399

କନକ ବ୍ୟୁରୋ : ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ଗତକାଲି ରାତିରେ ପୋଷ୍ଟମର୍ଟମ କରାଯାଇଥିଲା । ଆଉ ପୁରା ପୋଷ୍ଟମର୍ଟମ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ପୋଷ୍ଟମର୍ଟମ ପରେ ନବ ଦାସଙ୍କ ମରଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ତାଙ୍କ ଅନ୍ତିମଦର୍ଶନ କରିଥିଲେ ନେତା । ବର୍ତ୍ତମାନ ମୃତଶରୀରକୁ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରଖାଯାଇଛି । କିଛି ସମୟ ପରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି ଅଫିସ ନିଆଯିବ ।

ଶ୍ରଦ୍ଧାଞ୍ଜଳି ପରେ ଭୁବନେଶ୍ୱର ବିମାନବନ୍ଦର ନିଆଯାଇ ସେଠାରୁ ସ୍ୱତନ୍ତ୍ର ହେଲିକପଟରରେ ଝାରୁସୁଗୁଡା ନିଆଯିବ । ଏହାପରେ ନିଜ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ହେବ । ନବ ଦାସଙ୍କ ମୃତ୍ୟୁ ପରେ ୩ ଦିନିଆ ଶୋକ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଗତକାଲି ବ୍ରଜରାଜନଗରର ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ତାଙ୍କ ସମର୍ଥକ ଫୁଲମାଳ ପିନ୍ଧାଇବା ବେଳେ ହଠାତ୍ ଶୁଭିଥିଲା ଗୁଳିର ଶବ୍ଦ ।

କେହି କିଛି ବୁଝିବା ପୂର୍ବରୁ ଛାତିରେ ହାତ ଦେଇ ପଛକୁ ଝୁଙ୍କି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସବୁଠାରୁ ବଡ କଥା ହେଲା ଗୁଳି ମାରିଥିଲେ ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସ୍ଆଇ ଗୋପାଳ ଦାସ । ପୁଲିସ ପୋଷାକ ପିନ୍ଧିଥିଲେ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ଭିସ ରିଭଲଭର ଆଣିଥିଲେ । ଯେଉଁ ରିଭଲଭରରେ ସେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାନ୍ତେ, ସେହି ରିଭରଭରରେ ମନ୍ତ୍ରୀଙ୍କ ଜୀବନ ନେବା ପାଇଁ ଚଳାଇଥିଲେ ଗୁଳି ।