ଆଲମାରୀରୁ ପାଣି ଡ୍ରମ୍ ସବୁଠି ମୃତ ଦେହର ଖଣ୍ଡ, ଛାତି ଥରାଇଦେବ ହତ୍ୟାକାରୀ ଝିଅର କାହାଣୀ ।

2,094

କନକ ବ୍ୟୁରୋ: ମା’କୁ ହତ୍ୟା କଲା ଝିଅ । ତା’ପରେ ମା’ର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଆଲମୀରା ଓ ପାଣି ଡ୍ରମରେ ୩ ମାସ ଧରି ଲୁଚାଇ ରଖିଲା । ରାତି ଅଧରେ ପୁଲିସ ପାଇଲା ସୁରାଖ । ଏପରି ଘଟଣା ଘଟିଛି ମୁମ୍ବାଇର କାଲାଚୌକି ଅଞ୍ଚଳରେ ।

ଜଣେ ଝିଅ ବି ଏଭଳି କାଣ୍ଡ ଘଟାଇପାରେ ଏହା ସାରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ମୁତାବକ, ୫୫ ବର୍ଷୀୟା ମହିଳା ବୀଣା ଦେବୀ ସ୍ୱାମୀଙ୍କ ମୃତ୍ୟୁ ପରେ ମୁମ୍ବାଇ କାଲାଚୌକ ଇବ୍ରାହିମ ବିଲଡିଙ୍ଗରେ ୨୩ ବର୍ଷୀୟା ଝିଅ ରିମ୍ପଲ ସହ ରହିଆସୁଥିଲେ । ବୀଣା ଦେବୀଙ୍କ ଭାଇ ତାଙ୍କ ଖର୍ଚ୍ଚ ପାଇଁ ଟଙ୍କା ପଠାନ୍ତି ଏବଂ ଭଲ ମନ୍ଦ ପଚାରି ବୁଝନ୍ତି । ହେଲେ ଗତ ୩ ମାସ ଧରି ଭଉଣୀ ସହ ଯୋଗାଯୋଗ ହୋଇପାରୁନଥିଲା । ବୀଣା ଦେବୀଙ୍କୁ ଦେଖାକରିବାକୁ ଯେଉଁ ସମ୍ପର୍କୀୟ ଗଲେ ବି କୌଣସି ନା କୌଣସି ବାହାନା ଦେଖାଇ କଥାକୁ ଏଡାଇ ଦେଉଥିଲେ ରିମ୍ପଲ ।

ଦିନେ ବୀଣାଙ୍କ ପୁତୁରା ତାଙ୍କ ଦେଖା କରିବାକୁ ଯାଇଥିଲେ ବି ଏକା ଢଙ୍ଗରେ ମିଛ କହି ତାଙ୍କୁ ଫେରାଇ ଦେଇଥିଲା ରିମ୍ପଲ । ହେଲେ ଏଥିରେ ସନ୍ଦେହ ଘନୀଭୂତ ହେବାରୁ ପୁଲିସରେ ମାମଲା ଦାଏର କରିଥିଲେ ବୀଣାଙ୍କ ଭାଇ । ଏହାପରେ ଦିନେ ବିଳମ୍ବିତ ରାତିରେ ରିମ୍ପଲଙ୍କ ଘରେ ପହଞ୍ଚିଥିଲେ ପୁଲିସ ଟିମ୍ । ହେଲେ ମା’ ଶୋଇଛନ୍ତି କହି ଫେରାଇଦେଉଥିଲେ । ହେଲେ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ପୁଲିସର ସନ୍ଦେହ ସତରେ ବଦଳିଥିଲା । ଫଳରେ ଘରେ ପଶି ସର୍ଚ୍ଚ କରିଥିଲା ପୁଲିସ ଏବଂ ଯାହା ଦେଖିବାକୁ ପାଇଥିଲା ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରିମ୍ପଲଙ୍କ ବେଡରୁମରେ ଥିବା ଆଲମାରୀରୁ ଦୁର୍ଗନ୍ଧ ବାହାରୁଥିବା ବାରିପାରି ଖୋଲିବାବେଳକୁ ଏଥିରୁ ଏକ ବଡ ପଲିଥିନ୍ ବ୍ୟାଗରେ ମଣିଷର କଟାମୁଣ୍ଡ ଥିବା ଦେଖିବାକୁ ମିଳିଥିଲା । ଏହା ଗଳିତ ଅବସ୍ଥାରେ ପହଞ୍ଚିଯାଇଥିଲା । ଏହାପରେ ବାକି କଟା ଅଂଶକୁ ଖୋଜିବାରୁ ଏକ ପାଣି ଡ୍ରମରୁ ମିଳିଥିଲା ମୃତଦେହର କଟା ହାତ, ଗୋଡ । ଏହାପରେ ବୀଣା ଦେବୀଙ୍କୁ ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଥିଲା ପୁଲିସ । ଫଳରେ ରିମ୍ପକୁ ଗିରଫ କରିନେଇଛି ପୁଲିସ ।

ଘଟଣା ବିଷୟରେ ରିମ୍ପଲଙ୍କୁ ଜେରା କରାଯାଇଥିଲେ ବି ଏଯାଏଁ ଘଟଣାର ସତ୍ୟାସତ୍ୟ କହିନାହାଁନ୍ତି ରିମ୍ପଲ । ଫଳରେ ପୁଲିସ ତାଙ୍କ ହାଜତରେ ରଖି ତଦନ୍ତ ଚଳାଇଛି ।