ଆଜି ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ : ଅପରାହ୍ଣ ୩ଟାରେ ହେବ ଅନ୍ତିମ ସଂସ୍କାର

66

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଆଜି ଅନୁଷ୍ଠିତ ହେବ ଶେଷକୃତ୍ୟ । ଶେଷକୃତ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଗଷ୍ଟ ୨୨ ତାରିଖରେ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଅକ୍ଟୋବର ୧ ତାରିଖରେ ସ୍ୱାସ୍ଥ୍ୟରେ ଅବନତି ପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।

ତିନିଥର ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ମୁଖ୍ୟ ଏବଂ ଭାରତର କ୍ଷମତାଶାଳୀ ରାଜନେତାମାନଙ୍କ ମଧ୍ୟରୁ ଅନ୍ୟତମ- ମୁଲାୟମ ସିଂହ ଯାଦବଙ୍କ ପରିଚୟ ପାଇଁ ଏତିକି ଯଥେଷ୍ଟ । ଏକ କୃଷକ ପରିବାରରେ ପିତା ସୁଘାଡ଼ ସିଂହଙ୍କ ଘରେ ଉତ୍ତରପ୍ରଦେଶର ସୈଫାଇ ଗାଁରେ ୧୯୩୯ ମସିହାରେ ଜନ୍ମିତ ମୁଲାୟମ ପିଲାଦିନେ ଜଣେ କୁସ୍ତିଯୋଦ୍ଧା ଥିଲେ । ଏହାପରେ ଶିକ୍ଷକତା ଓ ପରେ ରାଜନୀତିକୁ ଆସିଥିଲେ ।

ରାମ ମନୋହର ଲୋହିଆ ଓ ତାଙ୍କ ସମାଜବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଲାୟମ ୧୯୬୦ ଦଶକରେ ଆରମ୍ଭ କଲେ ତାଙ୍କ ରାଜନୈତିକ ଯାତ୍ରା । ପ୍ରଥମେ ୧୯୬୭ରେ ଉତ୍ତରପ୍ରଦେଶରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ସେ କୃଷକ ଅଧିକାରକୁ ନେଇ ଆନ୍ଦୋଳନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ । ମୁଲାୟମ ଯେପରି ଭାବେ ସେ ବିରୋଧୀଙ୍କ ମୁକାବିଲା କରନ୍ତି ତାକୁ ଦେଖି ଚରଣ ସିଂହ ତାଙ୍କୁ ‘ଲିଟଲ ନେପୋଲିୟନ’ ଡାକୁଥିଲେ ।

ମୁଲାୟମ ପ୍ରଥମଥର ପାଇଁ ୧୯୮୯ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ। ପରେ କଂଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇ ରଖିବା ପାଇଁ ସେ ନିଜର ଆନୁଗତ୍ୟ ବଦଳାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ହାତ ମିଳାଇଲେ । ତେବେ ତାଙ୍କ ସରକାର ବେଶିଦିନ ଟେକିଲା ନାହିଁ କାରଣ କଂଗ୍ରେସ ଚନ୍ଦ୍ରଶେଖର ଓ ତାଙ୍କ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିନେଲା । ଫଳରେ ୧୯୯୧ ମସିହାରେ ବାଇ-ଇଲେକ୍ସନ ହେଲା, ଯେଉଁଥିରେ ମୁଲାୟମ ହାରିଗଲେ । ୧୯୯୨ରେ ସେ ସମାଜବାଦୀ ପାର୍ଟି ଗଠନ କଲେ ଏବଂ ପରବର୍ଷ ନିର୍ବାଚନ ଜିତି ଦ୍ବିତୀୟବାର ମୁଖ୍ୟମନ୍ତ୍ରୀ ହେବା ପାଇଁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କଲେ। କିନ୍ତୁ ମେଣ୍ଟରେ ଅଳ୍ପଦିନରେ ଫାଟ ଦେଖାଦେଲା ଏବଂ ସେ ପୁଣି କ୍ଷମତାଚ୍ୟୁତ ହେଲେ ।

୨୦୦୩ରେ ମୁଲାୟମ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ, ଯେତେବେଳେ ବିଜେପି ୨୦୦୨ରେ ଜିତି ସରକାର ଗଢ଼ିଥିବା ମାୟାବତୀ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିନେଲା । ମୁଲାୟମ କିଛି ସ୍ବାଧୀନ ବିଧାୟକ ଓ ଛୋଟ ଦଳଙ୍କ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ହେଲେ । ଏଥିରେ ବିଜେପିର ବି କିଛି ଭୂମିକା ଅଛି ବୋଲି କୁହାଯାଏ ।

ମୁଲାୟମ ତାଙ୍କର ଧର୍ମନିରପେକ୍ଷ ଭାବମୂର୍ତ୍ତି ରକ୍ଷା କରିବା ସହ ମୁସଲମାନ ସମ୍ପ୍ରଦାୟର ପ୍ରିୟ ହୋଇ ଆସିଛନ୍ତି । କେବଳ ରାଜ୍ୟରେ ନୁହେଁ କେନ୍ଦ୍ରରେ ମଧ୍ୟ ଭୂମିକା ନିର୍ବାହ କରିବା ମୁଲାୟମଙ୍କର ଉଚ୍ଚାଭିଳାଷ ଥିଲା । ସେଥିପାଇଁ ସେ ୧୯୯୬ ମସିହାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବି ହୋଇଥିଲେ । କିନ୍ତୁ କେନ୍ଦ୍ରରେ ସେ ମାତ୍ର ପ୍ରାୟ ୨ ବର୍ଷ ମନ୍ତ୍ରୀ ରହିପାରିଲେ କାରଣ ସରକାର ଭୁଶୁଡ଼ିଗଲା ଏବଂ ମୁଲାୟମ ପୁଣି ରାଜ୍ୟକୁ ଫେରିଲେ । ୧୯୯୯ରେ ସେ କନୌଜରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରେ ପୁଅ ଅଖିଳେଶ ପାଇଁ ଏହାକୁ ‌ଛାଡ଼ିଦେଇଥିଲେ ।