୪ ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲା ଓଡ଼ିଶା: ହେଲେ ଏଯାଏଁ ସକ୍ରିୟ ହୋଇପାରୁନି ମୌସୁମୀ

1,430

କନକ ବ୍ୟୁରୋ: ଦିନ ପରେ ଦିନ ଗଡ଼ି ଚାଲିଛି, କିନ୍ତୁ ମୌସୁମୀ ବାୟୁ ସକ୍ରିୟ ହେବାର ନାଁ ନେଉନାହିଁ । ୪ ଦିନ ତଳେ ଛୁଇଁଥିବା ମୌସୁମୀ ବାୟୁ ମାଲକାନଗିରିରେ ଅଟକି ରହିଛି । ସେପଟେ ମୌସୁମୀ ବାୟୁ ଆଗକୁ ବଢ଼ିବାରେ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ବେଳେ କାଲିଠାରୁ ବର୍ଷାର ପରିଣାମ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏଥର ୪ ଦିନ ପୂର୍ବରୁ ମାଲକାନଗିରିକୁ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଶା କରାଯାଉଥିବା ଏଥର ସାରା ରାଜ୍ୟରେ ଆଗୁଆ ମୌସୁମୀ ବର୍ଷା ହେବ । ହେଲେ ଦିନ ଗଡ଼ି ଗଡ଼ି ଚାଲିଛି, ମାଲକାନଗିରିକୁ ଛାଡ଼ି କୌଣସି ଅଂଚଳରେ ସକ୍ରିୟ ହୋଇପାରୁନି ମୌସୁମୀ । ଏପଟେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରୁଛି ।

କାହିଁକି ରାଜ୍ୟରେ ସକ୍ରିୟ ହେଉନି ମୌସୁମୀ?
ଆଗକୁ ବଢ଼ିବା ପାଇଁ ସୁହାଉନାହିଁ ପାଣିପାଗ ।
ବାୟୁ ଚଳାଚଳରେ ଅସଙ୍ଗତି ରହୁଛି
ଜୁନ ମାସରେ ଗୋଟିଏ ଦୁଇଟି ଲଘୁଚାପ ସୃଷ୍ଟି ହୁଏ, ଏଥର ତାହା ହୋଇନାହିଁ
ବଙ୍ଗୋପସାଗରରେ ବାଦଲର ଘନତ୍ୱ ବୃଦ୍ଧି ହେବା ପାଇଁ ଆହୁରି ୨ରୁ ୪ ଦିନ ଲାଗିବ

ଚଳିତ ଥର ଗୋଟିଏ ସ୍ଥାନରେ ମୌସୁମୀ ବାୟୁ ଦୀର୍ଘ ସମୟ ସ୍ଥିର ରହିବା ଯୋଗୁଁ ଅସ୍ୱାଭାବିକ ଜୟବାୟୁ ସ୍ଥିତି ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରଭାବ ଜାରି ରହିଛି, ଉଷ୍ମ ଆର୍ଦ୍ର ସ୍ଥିତି ଲାଗି ରହିଛି । ରାତିରେ ମଧ୍ୟ ଗରମ ହେଉଛି । ଏପଟେ ୧୯ ତାରିଖ ଯାଏଁ ଗରମ ଓ ଆଉ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା କଥା । କିନ୍ତୁ ଏଥିରେ ବିଳମ୍ବ ହେଉଥିବାରୁ ଚାଷୀକୂଳ ମଧ୍ୟ ଚିନ୍ତାରେ ପଡିଲେଣି ।