ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବିବାଦ ତେଜୁଥିବା ବେଳେ କାଲି ମୋଦୀ-ନବୀନ ସାକ୍ଷାତ । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇପାରେ ଆଲୋଚନା

357

କନକ ବ୍ୟୁରୋ: ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତରେ ପ୍ରଥମ ଦିନରେ ସେ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହାଛଡା ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ବିଜେପି ନବୀନ ପଟ୍ଟନାୟକଙ୍କ ସମର୍ଥନ ଉପରେ ନଜର ରଖିଛି । ଏନଡିଏ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସମେତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନ ରେଡ୍ଡୀଙ୍କ ସମର୍ଥନ ଜରୁରୀ । ତେଣୁ ଆଲୋଚନା ବେଳେ ଏହି ପ୍ରସଙ୍ଗ ବି ଉଠିପାରେ । ରାଜ୍ୟରେ କିଛି ପ୍ରସଙ୍ଗ ନେଇ ବି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ନବୀନ । ଗୋଟିଏ ପଟେ ପରିକ୍ରମା ପ୍ରକଳ୍ପ ବିବାଦ ଏବଂ ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆବଶ୍ୟକତା । ଏସବୁକୁ ନେଇ ଚର୍ଚ୍ଚା ଭିତରେ ଆସନ୍ତାକାଲି ମୋଦି ଓ ନବୀନଙ୍କ ସାକ୍ଷାତକୁ ରାଜନୈତିକ ସମୀକ୍ଷକ ଗୁରୁତ୍ୱ ଦେଉଛନ୍ତି ।