ମେକ୍ ଇନ୍ ଇଣ୍ଡିଆକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଲାପଟପ୍, ଟାବଲେଟ୍ ଓ କମ୍ପ୍ୟୁଟର ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

204

କନକ ବ୍ୟୁରୋ : କେନ୍ଦ୍ର ସରକାର ଗୁରୁବାର ଦିନ ଏକ ବଡ ନିଷ୍ପତ୍ତି ନେବା କ୍ରମରେ ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ମୁତାବକ ଏହି ପ୍ରତିବନ୍ଧିତ ସାମଗ୍ରୀ ଆମଦାନୀ ପାଇଁ ବୈଦ୍ଧ ପଞ୍ଜିକରଣ କ୍ରମରେ ଅନୁମତି ଦିଆଯିବ ।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବିଜ୍ଞପ୍ତି ମୁତାବକ ଏଚଏସଏନ୮୭୪୧ କ୍ରମରେ ଆମଦାନୀ ହେଉଥିବା ଲାପଟପ୍, ଟାବଲେଟ, ଅଲ୍ ଇନ୍ ୱାନ ପର୍ସନାଲ କମ୍ପ୍ୟୁଟର ଓ ଅଲ୍ଟ୍ରା ସ୍ମଲ ଫାର୍ମ ଫେକ୍ଟର କମ୍ପ୍ୟୁଟର ଏବଂ ସର୍ଭର ଆମଦାନୀ ଉପରେ ତକ୍ରାଳ ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରତିବନ୍ଧିତ ସାମଗ୍ରୀର ଆମଦାନୀ ପାଇଁ ବୈଦ୍ଧ ପଞ୍ଜିକୃତ କ୍ରମରେ ଅନୁମତି ପ୍ରଦାନ କରାଯିବ । ଏଥିରେ ଇ-କମର୍ସ ପୋର୍ଟାଲ କିମ୍ବା କୁରିୟର ମାଧ୍ୟମରେ କିଣାଯାଉଥିବା କମ୍ପ୍ୟୁଟର ବି ସାମିଲ ରହିଛି ।

ବାଣିଜ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି, ଏସବୁ ପ୍ରତିବନ୍ଧିତ ସାମଗ୍ରୀର ଆମଦାନୀ ପାଇଁ ସର୍ତ୍ତ ସହ ଅନୁମତି ପ୍ରଦାନ କରାଯିବ । ଏହାସହ ଆମଦାନୀ ହୋଇଥିବା ସାମଗ୍ରୀକୁ କେବଳ ସର୍ତ୍ତ ମୁତାବକ ବ୍ୟବହାର କରାଯାଇପାରିବ । ଏହାକୁ ଅନ୍ୟ କାହାକୁ ବିକ୍ରି କରାଯାଇପାରିବ ନାହିଁ ।

ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବାକୁ ନିଆଯାଇଥିବା ଏହି ପଦକ୍ଷେପ ଏବେ ଉତ୍ପାଦନକାରୀଙ୍କ ସହ କିଛି ବିଦେଶୀ କମ୍ପାନୀ ଲାଭବାନ ହେବେ । ଯେଉଁ ବିଦେଶୀ କମ୍ପାନୀମାନେ ଭାରତରେ ଉତ୍ପାଦନ କରି ଲୋକାଲ ଯୋଗାଣ ଓ ବିଦେଶକୁ ରପ୍ତାନୀ କରୁଛନ୍ତି । ଏହାସହ ଏହି ନିଷ୍ପତ୍ତିର ଭଲ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିବ ବୋଲି ଆଶା କରାଯାଇଛି ।