୩ ଦିନରେ ଆଗାମୀ ୩ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବେ ମୋଦୀ ସରକାର । ଆସନ୍ତା ସପ୍ତାହରେ ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

183

କନକ ବ୍ୟୁରୋ : ମୋଦୀ ସରକାର ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ସପ୍ତାହରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ସରକାର ଆଗାମୀ ୩ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବେ । ସୂଚନା ଥାଉକି କିଛିଦିନ ତଳେ ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯାଇଥିଲା । ଏଥିରେ ଅନେକ ନୂଆ ନେତା ସାମିଲ ହୋଇଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀମାନଙ୍କୁ ଅଦଳ ବଦଳ କରାଯାଇଥିଲା ।

ସେମାନଙ୍କ ସହ ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳକୁ ନେଇ ଆଗାମୀ ସପ୍ତାହରେ ଏକ ୩ ଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସବୁ ମନ୍ତ୍ରଣାଳୟ କାର୍ଯ୍ୟର ସମୀକ୍ଷା କରାଯିବ ଓ ଆଗାମୀ ଦିନର ଲକ୍ଷ୍ୟ ଧାର୍ଯ୍ୟ କରାଯିବ । ଏହା ବ୍ୟତୀତ ନୂଆ ମନ୍ତ୍ରୀ ମାନଙ୍କୁ ସେମାନଙ୍କ ବିଭାଗ ଓ କାର୍ଯ୍ୟ ବାବଦରେ ସମସ୍ତ ବିବରଣୀ ପ୍ରଦାନ କରାଯିବ ।

ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାସ୍ଥ୍ୟ, ଆଇଟି ଓ ତୈଳ ଭଳି ଅନେକ ବିଭାଗର ମନ୍ତ୍ରୀଙ୍କୁ ବଦଳାଇଥିଲେ । ଏହି ସମୟରେ ଆଗାମୀ ଦିନରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ସେହିସବୁ ରାଜ୍ୟର ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ବର୍ଷ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ୭ ଟି ରାଜ୍ୟରେ  ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ସରକାରଙ୍କ ମଳିନ ପଡିଥିବା ପ୍ରତିଛବିକୁ ସୁଧାରିବାକୁ ଏହି ବୈଠକରେ ବିଶେଷ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି ।
କହିରଖୁ କି ୨୦୧୯ରେ ବିଜେପି ପୁଣିଥରେ ସରକାରକୁ ଆସିବା ପରେ ୨ ଟି ବଡ ନିଷ୍ପତ୍ତି ନେଇଥିଲା । ଏଥିରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାମ ମନ୍ଦିର ଶୀଳାନ୍ୟାସ ଭଳି କାର୍ଯ୍ୟ ଅନ୍ତଭୂକ୍ତ ଥିଲା ।