ବିଧାନସଭାରେ ବିଧାୟକଙ୍କ ଶପଥ: ଗଣତନ୍ତ୍ର ମନ୍ଦିରରେ ମୁଣ୍ଡିଆ ମାରି କଲେ ପ୍ରବେଶ

2,170

କନକ ବ୍ୟୁରୋ: ଓଡିଶା ରାଜନୀତିରେ ବଡ ପଟ୍ଟ ପରିବର୍ତ୍ତନ ହୋଇଛି । ନୂଆ ସରକାର ଆସିବା ପରେ ବିଧାନସଭାରେ ବିଧାୟକ ନେଉଛନ୍ତି ଶପଥ । ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ପରେ ବିଧାୟକମାନେ ଜଣକ ପରେ ଜଣେ ଶପଥ ନେଇଥିଲେ । ଆଉ ବିଧାୟକଙ୍କୁ ଶପଥପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଉ ଶପଥ ପାଠବେଳେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ, ଯାହା ଆଜି ଚର୍ଚ୍ଚାର ବିଷୟ ହୋଇଛି ।

ଶପଥଗ୍ରହଣ ଉତ୍ସବର ପ୍ରଥମ ଦିନରେ ସାଇକେଲରେ ଆସିଥିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଆଉ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସମସ୍ତଙ୍କୁ ସାଇକେଲ ବ୍ୟବହାର କରିବାକୁ ସିଦ୍ଧାନ୍ତ ଅପିଲ କରିଛନ୍ତି । ସୁଯୋଗ ମିଳିଲେ ସରପଂଚ ହେବେ ବୋଲି କହିଛନ୍ତି ସିଦ୍ଧାନ୍ତ ।

ବ୍ରହ୍ମଗିରିରୁ ପ୍ରଥମ ଥର ଲାଗି ବିଧାୟିକା ହୋଇଥିବା ଉପାସନା ମହାପାତ୍ରଙ୍କ ବିଧାନସଭା ପ୍ରବେଶ ଦେଖିବା ଭଳି ଥିଲା । ଗୃହକୁ ସେ ନିଜ ବାପା ତଥା ପୂର୍ବତନ ମନ୍ତ୍ରୀ ଲୁଲୁ ମହାପାତ୍ରଙ୍କ ୧୯୯୫ ମସିହାର ଆଇ-କାର୍ଡ ଧରି ପ୍ରବେଶ କରିଥିଲେ । ବାପାଙ୍କ ଧୈ÷ଯ୍ୟ ଓ ସାହାସକୁ ନେଇ ବିଧାନସଭାକୁ ପ୍ରବେଶ କରୁଛି ବୋଲି କହିଥିଲେ ଉପାସନା ।

ଭବାନୀପାଟଣାର ନୂଆ ବିଧାୟକ ସାଗର ଦାସ ଶପଥ ନେଇଛନ୍ତି । ସେ କହିଛନ୍ତି. ୧୯୮୫ରେ ଭକ୍ତଦାସଙ୍କୁ ବିଧାନସଭାରେ ଦେଖିଥିଲେ ରାଜ୍ୟବାସୀ । ୨୦୨୪ରେ ଲୋକେ ସାନ ଭକ୍ତ ଦାସଙ୍କୁ ଦେଖିବେ । ସେହିଭଳି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ତଥା ପୁରୀ ବିଧାୟକ ସୁନୀଲ ମହାନ୍ତି ବି ଶପଥ ନେଇଛନ୍ତି ।

ବିଧାନସଭାରେ ଶପଥ ଗ୍ରହଣ ଉତ୍ସବ ଦୁଇଦିନ ଧରି ଚାଲିବ । ଆଉ ଏହି ଦୁଇଦିନରେ ୧୪୭ଜଣ ବିଧାୟକ ଶପଥ ନେବେ । ପ୍ରଥମ ଦିନରେ ଶହେରୁ ଅଧିକ ବିଧାୟକ ଶପଥ ନେଇଛନ୍ତି ।