ଫାଇଭ-ଟିରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲର ସାଙ୍ଘାତିକ ଅବସ୍ଥା । କୋଇଡା ସୀମାନ୍ତବର୍ତି ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍ କି ନେଟୱାର୍କ

110

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଶେଷ ସୀମାରେ ରହିଛି ଝାରବେଡା ବନଶ୍ରୀ ଉଚ୍ଚ ବିଦ୍ୟାଳୟ । ୫ ଟି ଅଧୀନରେ ଏହି ବିଦ୍ୟାଳୟ ପ୍ରଥମ ପର୍ୟ୍ୟାୟରେ ପାଖାପାଖି କୋଟିଏ ଟଙ୍କା ବରାଦ ହୋଇ ରୁପାନ୍ତିକରଣ କରାଯାଇଛି । ହେଲେ ବର୍ଷେ ନ ପୁରୁଣୁ ବିଦ୍ୟାଳୟ ଅବସ୍ଥା ସମ୍ପୁର୍ଣ୍ଣ ବେହାଲ୍ ହୋଇଯା଼ଇଛି । ଅତ୍ୟାଧୁନିକ ଶିକ୍ଷା ନାଁରେ ଛାତ୍ରଛାତ୍ରୀଙ୍କୁ ଠକି ଦିଆଯାଇଛି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ଅଛି, କିନ୍ତୁ ବିଦ୍ୟୁତ୍ ନାହିଁ କି ନେଟୱାର୍କ୍ ନାହିଁ । ଏଭଳି ସ୍ଥିତିରେ ସ୍ମାର୍ଟ ସ୍କୁଲରେ କେମିିତି ପାଠପଢା ହେଉଥିବା ଅନୁମାନ କରିପାରୁଥିବେ ନିଶ୍ଚୟ ।

ସିଧାସଳଖ କୋଇଡା ବିଡିଓ ନାମରେ ଚାଲିଥିବା ଏହି ବିଦ୍ୟାଳୟ କାର୍ୟ୍ୟର କୌଣସି ସୂଚନା ଫଳକ ନାହିଁ । ବିଦ୍ୟାଳୟରେ ଭଲ ବ୍ରାଣ୍ଡର ଫ୍ୟାନ ବଦଳରେ ଲୋକାଲ ଫ୍ୟାନ ଲଗାଇ ବ୍ରାଂଣ୍ଡେଡ ଫ୍ୟାନର ବିଲ୍ ଉଠାଯାଇଥିବା ଅଭିଯୋଗ ହୋଇଛି । ସେପଟେ ସ୍କୁଲ କାନ୍ଥରୁ ରଙ୍ଗ ଛାଡି ଯାଇଥିବା ବେଳେ ଛାତରୁ ପାଣି ଗଳୁଛି । ଛାତ୍ରୀ ନିବାସରେ ଛାତ୍ରୀମାନେ ଡିବିରି,ଲଣ୍ଠନରେ ପଢିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟୁତ୍ ସଂଯୋଗୀକରଣ କରାଯାଇଛି ହେଲେ ଟ୍ରାନ୍ସଫୋରମର ଅଚଳ ହୋଇ ପଡିଛି।

ଜିଲ୍ଲା ଖଣିଜ ପାଣ୍ଠି ଓ ଓମ୍ବାଡିସି ଫଣ୍ଡରୁ ରୁପାନ୍ତିକରଣ ସିଧାସଳଖ ତତ୍କାଳୀନ ବିଡିଓ ଓ ଠିକାଦାର ହଡପ କରିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ନାମରେ ଖେଳ ଖେଳାଯାଉଛି ।