ଘରୋଇ ଡାକ୍ତରଖାନାର ଅବହେଳା: ଏକ୍ସପାରୀ ଇଂଜେକସନ୍ ନେଇ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତି ହେଲା ନାବାଳକ

123

କନକ ବ୍ୟୁରୋ: ଏକ୍ସପାରୀ ଇଂଜେକସନ୍ ନେଇ ଅସୁସ୍ଥ ନାବାଳକ । ଇଂଜେକସନ୍ ନେଇ ଗୁରୁତର ହୋଇଥିବା ୧୨ ବର୍ଷର ନାବାଳକକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ ଆଜି ଗୋଟିଏ ଛୋଟ ପିଲାର ଜୀବନ ବିପଦରେ ପଡିଛି । ଗୁରୁତର ନାବାଳକ ଜଣଙ୍କ ହେଉଛି ଖୋର୍ଦ୍ଧା ଟାଙ୍ଗୀ ଥାନା ଅନ୍ତର୍ଗତ ଝରିଆ ଗାଁର ରଶ୍ମି ରଂଜନ ପଲେଇ । ରଶ୍ମିର ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ଟାଙ୍ଗୀରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ ନାରାୟଣ ମିଶ୍ରଙ୍କୁ ଦେଖାଇଥିଲେ ।

ପରେ ରଶ୍ମୀକୁ ପରିବାର ଲୋକ ନୟାଗଡ ଜିଲ୍ଲାର ଚାନ୍ଦପୁରରେ ଥିବା ଏକ ଘରୋଇ କ୍ଲିନିକ୍ ରାମଚଣ୍ଡି ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ନାବାଳକ ଜଣଙ୍କୁ ଏକ୍ସପାରୀ ଇଂଜେକସନ୍ ଦିଆଯାଇଛି । ଗତ ଜାନୁଆରୀ ମାସରୁ ଏକ୍ସପାରୀ ଡେଟ୍ ସରିଯାଇଥିବା ଓଡିସେଫ୍ ଇଂଜେକନ୍ ପିଲାଟିକୁ ଦିଆଯାଇଛି । ଫଳରେ ପିଲାଟି ସୁସ୍ଥ ହେବା ବଦଳରେ ଅଧିକ ଅସୁସ୍ଥ ହୋଇଯାଇଛି । ଗୁରୁତର ଅବସ୍ଥାରେ ନାବାଳକକୁ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ସେପଟେ ଭୁଲ୍ ଇଂଜେକସନ୍ ଦେଇଥିବା ଡାକ୍ତରଖାନାର ମାଲିକ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।