ଗହୀରମଥାରେ ଅଣ୍ଡା ଦେଉଛନ୍ତି ଲକ୍ଷ ଲକ୍ଷ ଅଲିଭ ରିଡଲେ: ପ୍ରାୟ ୫ ଲକ୍ଷ ଅଣ୍ଡାର ସୁରକ୍ଷା ପାଇଁ ବନ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା

76

କନକ ବ୍ୟୁରୋ: ଅଣ୍ଡା ଦେବାକୁ ହଜାର ହଜାର କିମି ଦୂରରୁ କଇଁଛ ଆସିଛନ୍ତି ଓଡ଼ିଶାର ଗହୀରମଥା । ନିରାପଦ ସ୍ଥାନ ଏବଂ ସେମାନଙ୍କର ମୁଖ୍ୟ ଖାଦ୍ୟ ଜେଲିଫିସ୍ ଏଠାରେ ପ୍ରଚୁର ପରିମାଣରେ ମିଳୁଥିବାରୁ କଇଁଛମାନେ ଅଣ୍ଡା ଦେବା ପାଇଁ ଏହି ସ୍ଥାନକୁ ବାଛିଥାନ୍ତି । ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ଉଭୟ ପୁରୁଷ, ମାଆ କଇଁଛ ମଧ୍ୟରେ ଏଠାରେ ମିଳନ ହୁଏ । ମାର୍ଚ୍ଚ ଶେଷ ସପ୍ତାହ ଆଡକୁ ପୁରୁଷ କଇଁଛ ସମୂଦ୍ରକୁୂ ପଳାଇଥାନ୍ତି । ଆଉ ମାଆ କଇଁଛମାନେ ଏଠାରେ ରହି ଅଣ୍ଡା ଦେବା ପରେ ଚାଲିଯାଇଥାନ୍ତି । ଏକ ଗବେଷଣା ଅନୁଯାୟୀ ଏହି କଇଁଛମାନେ ପ୍ରାୟ ୨୫ ବର୍ଷ ପରେ ପୁଣି ଏହି ସ୍ଥାନକୁ ଫେରିଥାନ୍ତି ।

ଅଣ୍ଡା ଦେବା ପରେ କଇଁଛମାନେ ଚାଲିଯାଇଥାନ୍ତି ହେଲେ ଅଣ୍ଡା ଫୁଟି ଛୁଆ ହେବାକୁ ୪୫ରୁ ୬୦ ଲାଗିଥାଏ । ୧ଫୁଟରୁ ଦେଢ ଫୁଟ ପର୍ଯ୍ୟନ୍ତ ମାଠିଆ ଆକୃତିର ଗାତ ଖୋଳି ପ୍ରାୟ ୧୦୦ରୁ ଅଧିକ ଅଣ୍ଡା ଦେଇଥାଏ ଗୋଟିଏ କଇଁଛ । ବୈଜ୍ଞାନିକ ବିଶ୍ଳେଷଣରୁ ଜଣାପଡିଛି ଯେ, ବହୁ ବର୍ଷ ପରେ ଏମାନଙ୍କୁ ମଧ୍ୟରୁ ବଂଚିଥିବା କଇଁଛ ଅଣ୍ଡା ଦେବା ପାଇଁ ନିଜ ଜନ୍ମସ୍ଥ୍ାନକୁ ଆସିଥାନ୍ତି । ତେବେ ସବୁଠୁ ଦୁଖଃଦ କଥା ହେଉଛି ପ୍ରାୟ ୧ ହଜାର କଇଁଛଙ୍କ ମଧ୍ୟରୁ ମାତ୍ର ଗୋଟିଏ କଇଁଛ ବଂଚି ରହି ଯୁବାବସ୍ଥାରେ ପହଁଚିଥାଏ ।

ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଉପକୂଳର ଗହୀରମଥାରେ ଏଥର ପ୍ରାୟ ୫ ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି । ସେଥିମଧ୍ୟରୁ ମାର୍ଚ୍ଚ ୨୫ ତାରିଖ ଗୋଟିଏ ଦିନରେ ଅଢେଇ ଲକ୍ଷ କଇଁଛ ଅଣ୍ଡା ଦେଇଛନ୍ତି । ଏବେବି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିିୟା ଜାରି ରହିଛି । ପରିବେଶ ସନ୍ତୁଳନ ଦିଗରେ ଅଲିଭରିଡଲେ କଇଁଛଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ବନବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଅଣ୍ଡାଦେବା ପାଇଁ କଇଁଛମାନେ ଓଡିଶାର ଗହୀରମଥା, ଋଷିକୂଲ୍ୟା ଓ ଦେବୀ ମୁହାଁଣକୁ କାହିଁକି ବାଛୁଛନ୍ତି ଏହା ପ୍ରାଣୀ ବିଜ୍ଞାନୀମାନଙ୍କ ପାଇଁ ଏବେବି ରହସ୍ୟମୟ ହୋଇରହିଛି । ଏହି ରହସ୍ୟ ଭେଦ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲେ ମଧ୍ୟ ଆଜିଯାଏଁ ଅଲିଭରିଡଲେଙ୍କ ସମ୍ପୂର୍ଣ୍ଣ ଜୀବନଶୈଳି ଜଣାପଡିନାହିଁ ।