୧୪ କିଲୋମିଟର ଭାରରେ ବୁହା ହେଲେ ଅସୁସ୍ଥ ବଣ୍ଡା ମହିଳା : ବାଉଁଶ ଭାରରେ ବୋହି ମୁଦୁଲିପଡାରୁ ଖଇରପୁଟ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକ

91

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଶିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ତଥାପି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ଆସୁନି । ଆମ୍ବୁଲାନ୍ସ ବ୍ୟବସ୍ଥା ଥିଲେ ମଧ୍ୟ ପୁଣିଥରେ ଭାରରେ ବୁହା ହେଲେ ଅସୁସ୍ଥ ବଣ୍ଡା ମହିଳା । ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବହୁ ବ୍ୟବସ୍ଥା କଥା କହୁଥିବା ବେଳେ ପୁଣି ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଛି ।

ଆମ୍ବୁଲାନ୍ସ ନମିଳିବାରୁ ଭାରରେ ବୁହାହେଲେ ବଣ୍ଡା ମହିଳା । ୧୪ କିଲୋମିଟର ବାଉଁଶ ଭାରରେ ବୁହା ହେଲେ ଅସୁସ୍ଥ ବଣ୍ଡା ମହିଳା । ଭାରରେ ବୋହି ମୁଦୁଲିପଡାରୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତି କରିଛନ୍ତି ପରିବାର ଲୋକ । ଶୁକ୍ରୀ ଚାଲାଣ ନାମକ ମହିଳା ହଠାତ୍ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକ ତାଙ୍କୁ ମୁଦୁଲିପଡା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ବିଗିଡିବାରୁ ତାଙ୍କୁ ଖଇରପୁଟ ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ମୁଦୁଲିପଡାରେ ଆମ୍ବୁଲାନ୍ସ ନମିଳିବାରୁ ଭାରରେ ବୋହି ମହିଳାଙ୍କୁ ଖଇରପୁଟ ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକ ।