ଏମିତି ଏକ ସ୍କୁଲ । ଯେଉଁଠି ଧର୍ମ ଓ ଜାତି ଆଧାରରେ ଅଲଗା ଅଲଗା ଶ୍ରେଣୀଗୃହରେ ବସିଥାନ୍ତି ଛାତ୍ରଛାତ୍ରୀ 

98

ବିହାରର ବୈଶାଳୀ ଜିଲ୍ଲାର ଏକ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଜାତି ଓ ଧର୍ମର ଆଧାରରେ ପଢାଯାଉଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଜାତି ଓ ଧର୍ମ ଆଧାରରେ ଅଲଗା ଅଲଗା ଶ୍ରେଣୀ ଗୃହରେ ବସାଇ ପଠାଯାଉଛି । ଏହି ସ୍କୁଲରେ ହିନ୍ଦୁ ଓ ମୁସଲମାନ ଛାତ୍ରଛାତ୍ରୀ ମାନଙ୍କୁ ଅଲଗା ଅଲଗା କ୍ଲାସରେ ବସାଯାଉଛି । ଏପରିକି ହିନ୍ଦୁ ଧର୍ମର ବିଭିନ୍ନ ଜାତି ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କୁ ବିଭାଜନ କରାଯାଇ ସେମାନଙ୍କୁ ମଧ୍ୟ ଅଲଗା ବସାଯାଉଛି ।  ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛନ୍ତି ବିହାରର ଶିକ୍ଷା ମନ୍ତ୍ରୀ । ତାଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ସ୍କୁଲରେ ଏଭଳି ସ୍ଥିତି ଆଦୌ ଗ୍ରହଣୀୟ ନୁହେଁ । ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଧର୍ମ ଓ ଜାତି ଆଧାରରେ ବାଣ୍ଟିବା ଆଦୌ ଗ୍ରହଣୀୟ ନୁହେଁ । ଏହା ଆମ ଆଇନ ବିରୋଧୀ ।

ଅଭିଯୋଗ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ରେଜିଷ୍ଟର ମଧ୍ୟ ଧର୍ମ ଓ ଜାତି ଆଧାରରେ ଭିନ୍ନ ଭିନ୍ନ ରହିଛି । ରେଜିଷ୍ଟରରେ ଛାତ୍ରଛାତ୍ରୀଙ୍କ ନାମ ସହିତ ସେ କେଉଁ ଜାତିର ତାହା ମଧ୍ୟ ଉଲ୍ଲେଖ ରହିଛି । ସ୍କୁଲର ନିୟମ ଅନୁଯାୟୀ, ନିର୍ଦ୍ଦିଷ୍ଟ ଧର୍ମ ବା ଜାତିର ଛାତ୍ରଛାତ୍ରୀ ଅନ୍ୟ ଜାତିର  ଛାତଛାତ୍ରୀ ବସିଥିବା କ୍ଲାସରୁମକୁ ଯାଇପାରିବେ ନାହିଁ । ଏଠାକୁ ଛାତ୍ରଛାତ୍ରୀ ମାନେ ଏକାଠି ଆସନ୍ତି ସତ କିନ୍ତ ସ୍କୁଲ ପରିସରରେ ପହଞ୍ଚିବା ପରେ ସେମାନଙ୍କୁ ଜାତି ଓ ଧର୍ମ ପାଇଁ ଅଲଗା ଅଲଗା ହେବାକୁ ପଡିଥାଏ ।