ପିଲାଙ୍କ ପାଇଁ ଗଣିତ ପାର୍କ । ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବାରେ ହେବ ସହାୟକ

225

କନକ ବ୍ୟୁରୋ : ଆମେ ଅନେକ ପାର୍କ ଦେଖିଛେ, ପାର୍କରେ ସକାଳୁ ସକାଳୁ କେଉଁଠି ଲୋକେ ବାୟାମ୍ କରୁଥିବାର ନଜର ଆସିଥାନ୍ତି ତ ଆଉ କେଉଁଠି ପାର୍କରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥାଏ । କିନ୍ତୁ ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଏପରି ଏକ ପାର୍କ ନିର୍ମାଣ ହୋଇଛି, ଯାହାକି ଶିକ୍ଷା କ୍ଷେତ୍ରରେ ପିଲାଙ୍କୁ ବହୁତ ଆଗକୁ ନେଇଯିବ ।

ଆମେ କହୁଛୁ କଟକ ତେଲେଙ୍ଗାପେଣ୍ଠରେ ନିର୍ମାଣ ହୋଇଥିବା ଗଣିତ ପାର୍କ କଥା । ଇଏ ଏମିତି ଏକ ପାର୍କ, ଯାହା କେବଳ ଗଣିତରେ ହିଁ ଭରପୁର । ସେଟ୍ସ୍କୋୟାର, ପ୍ରୋଟ୍ରାକଟର୍, ସ୍କେଲ ଏବଂ ହରଣ, ଗୁଣନ, ଫେଡାଣ, ମିଶାଣ ସାଙ୍ଗକୁ ପ୍ରତିଶତ ଏବଂ ବନ୍ଧନୀ ଭଳି ଅନେକ ମାତ୍ରା, ସଂଖ୍ୟା ଆଦି ଫାଇବର ନିର୍ମୀତ ଆକୃତି ଏଠାରେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ତାହାରି ଭିତରେ ହଜି ପାରିବେ କୋମଳମତି ବିଦ୍ୟାର୍ଥୀ । ଏହା ସହିତ ଛାତ୍ରଛାତ୍ରୀ ବିଦ୍ୟା ଆହରଣ ଦିଗରେ ଆଗ୍ରହୀ ହୋଇପାରିବେ । କଟକ ତେଲେଙ୍ଗା ପେଣ୍ଟର ଏକ କାରଖାନା ପରିସରରେ ୫ଶହ ବର୍ଗଫୁଟ କ୍ଷେତ୍ରର ଏକ ଛୋଟିଆ ମଡେଲ୍ ଗଣିତ ପାର୍କ ଗଢାଯାଇଛି । ଆଉ ପାର୍କକୁ ଗଢିଛନ୍ତି, ଇଂଜିନିୟର୍ କାଜଲ ପଟ୍ଟନାୟକ । ଯିଏ କି, କଟକରେ ପ୍ରଥମ ସେଲଫି ପଏଣ୍ଟ୍ ଓ ସେଲଫି ଜୋନ୍ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ଗଣିତ ପାର୍କ ନିର୍ମାଣ ନେଇ କାଜଲଙ୍କୁ ପଚାରିବାରୁ ସେ କୁହନ୍ତି, ରାଜ୍ୟରେ ବିଜ୍ଞାନ ପାର୍କ, ଚିର୍ଲ୍ଡେନ୍ ପାର୍କ ଭଳି ଅନେକ ପାର୍କ ରହିଛି, କିନ୍ତୁ ଗଣିତ ପାର୍କ ନାହିଁ । ଗଣିତ ଆମ ଜୀବନରେ ନିହାତି ଆବଶ୍ୟକ, ଲୋକଟିଏ ଇଂରାଜୀ ଓ ହିନ୍ଦି ଭାଷା ନକହିପାରିଲେ ଚଳିବ କିନ୍ତୁ ଗଣିତ ନଶିଖିଥିଲେ ଜୀବନରେ ଅନେକ ହଇରାଣ ହେବାକୁ ପଡିବ । ତେଣୁ ପିଲାମାନେ କିପରି ଗଣିତକୁ ଅତି ସହଜରେ ବୁଝିପାରିବେ ଆଉ ଆଗକୁ ବଢିପାରିବେ ସେନେଇ ଏକ ଗଣିତ ପାର୍କ ଗଢିବାକୁ ଚିନ୍ତା କରିଥିଲି ।

ଏହି ପାର୍କରେ କେବଳ ଗଣିତ ଉପକରଣ ରହିଛି ତା ନୁହେଁ, ଗଣିତ ଉପକରଣ ସହ ପ୍ରସ୍ତୁତ ହୋଇଛି, ବିଶ୍ୱ ତଥା ଜାତୀୟସ୍ତରୀୟ ଗଣିତଜ୍ଞ ଆଇନଷ୍ଟାଇନ୍, ଶକୁନ୍ତଳାଙ୍କ ଭଳି ବିଦ୍ୱାନମାନଙ୍କ ପ୍ରତିମୂର୍ତ୍ତି , ଯାହା ପାର୍କର ଶୋଭା ଓ ମର୍ଯ୍ୟାଦା ବଢାଉଛି । ସବୁଠୁ ବଡକଥା ହେଉଛି କଟକରେ ନିର୍ମିତ ହୋଇଥିବା ଏହି ଛୋଟିଆ ପାର୍କକୁ ଅନୁକରଣ କରି ରାଜ୍ୟର ସର୍ବପ୍ରଥମ ବଡ ଗଣିତ ପାର୍କ ନିର୍ମାଣ ଚାଲିଛି ଅନୁଗୋଳର ଜବାହର ନବୋଦୟ ବିଦ୍ୟାଳୟରେ ।

ତେବେ ଯଦି ଏହିଭଳି ଗଣିତ ପାର୍କ ରାଜ୍ୟର ପ୍ରତ୍ୟେକଟି ବିଦ୍ୟାଳୟରେ ନିର୍ମାଣ କରାଯାଏ ତାହେଲେ ବିଦ୍ୟାର୍ଥୀଙ୍କୁ ଏକ ନୂଆ ଅନୁଭବ ମିଳିବା ସହିତ ପାଠ ଛାଡିଦେଇଥିବା କିମ୍ବା ଅଧ୍ୟୟନ ପ୍ରତି ବିମୁଖ ଥିବା ପିଲାମାନେ ପାଠପଢା ପ୍ରତି ଆକର୍ଷିତ ହୋଇପାରିବେ