ମାତୃ ମୃତ୍ୟୁରେ ସରକାରୀ ଉଦାସୀନତାକୁ ସମାଲୋଚନା କଲେ ହାଇକୋର୍ଟ : ୪ମାସ ଭିତରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

81

କନକ ବ୍ୟୁରୋ : ମାତୃମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ସରକାରୀ ଉଦାସୀନତାକୁ କଡ଼ା ସମାଲୋଚନା କରିଛନ୍ତି । ତୁରନ୍ତ ଏ ଦିଗରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୪ ମାସ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏଥି ସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଏଥିପାଇଁ ରହିଥିବା ଦାୟିତ୍ୱ ସମ୍ପର୍କରେ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ କହିଛନ୍ତି କୋର୍ଟ ।

ରାଜ୍ୟ ମହିଳା କମିଶନ ଏବଂ ରାଜ୍ୟ ମାନବାଧିକାର କମିଶନଙ୍କ ସହ ବିଚାରବିମର୍ଶ କରିବା ପରେ ସରକାର ଏହି ନୀତି ପ୍ରଣୟନ ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କରେ ସ୍ୱାସ୍ଥ୍ୟ ସଚିବ ୫ ମାସ ଭିତରେ ସତ୍ୟପାଠ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ସମ୍ବର ଶବରଙ୍କୁ ୬ ସପ୍ତାହ ମଧ୍ୟରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ଉୁରଲୀଧର ଓ ଜଷ୍ଟିସ୍ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିକିତ୍ସା ଅବହେଳା ସମ୍ପର୍କିତ ଏକାଧିକ ମାମଲାର ଶୁଣାଣି କରିଥିଲେ ।

କୋର୍ଟ କହିଥିଲେ ଯେ, ଆଦିବାସୀ ଅଞ୍ଚଳ, ଗାଁ ଓ ସହର ଆଖପାଖ ଅଂଚଳରେ ଗର୍ଭବତୀ ଥିବା ସମୟରେ ଓ ଅସୁରକ୍ଷିତ ପ୍ରସବ ବେଳେ ପ୍ରାଣ ହରାଉଥିବା ମହିଳାଙ୍କ ମୃତ୍ୟୁ ଅତ୍ୟନ୍ତ ଉଦ୍ବେଗଜନକ । ବୃଦ୍ଧି ପାଉଥିବା ପ୍ରସୂତି ମୃତ୍ୟୁ ସଂଖ୍ୟାରୁ ସ୍ୱାସ୍ଥ୍ୟସେବାର ବିଫଳତା ହିଁ ସ୍ପଷ୍ଟ ହୋଇଛି । ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇବା କ୍ଷେତ୍ରରେ ସରକାରୀ ଉଦାସୀନତା ପ୍ରସୂତିଙ୍କ ମୃତ୍ୟୁର କାରଣ ହେଉଛି ବୋଲି ହୋଇଥିବା ଅଭିଯୋଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ଘଟଣାକୁ ଏଡାଇବା ନିହାତି ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।