ରାସ୍ତା ସଂପ୍ରସାରଣ ପାଇଁ କଟା ହେଉଛି ବହୁ ବର୍ଷର ପୁରୁଣା ଗଛ । ଧୁ ଧୁ ଖରାରେ ପିପିଲି ରାସ୍ତାରେ ବାଟୋଇଙ୍କୁ ମିଳୁନି ଛାଇ ।

299

କନକ ବ୍ୟୁରୋ: ରାସ୍ତା ନବୀକରଣ ନାମରେ କାଟି ଦେଲେ ୧୦୦ ବର୍ଷର ବହୁ ପୁରୁଣା ଗଛ । ପୁରୀ ଜିଲ୍ଲା ପିପିଲିରେ ରାସ୍ତା ନବୀକରଣ ନାମରେ ବର, ଚାଖୁଣ୍ଡା, ଆମ୍ବ, ଓସ୍ତ ଭଳି ବହୁ ବଡ ବଡ ଗଛ କାଟି ଦିଆଯାଇଛି । ବର୍ଷ ବର୍ଷ ଥରି ପଥଚାରୀଙ୍କୁ ଛାଇ ଦେଉଥିବା ଗଛ ଗୁଡିକ କଟା ହୋଇଯିବା ପରେ ପିପିଲି ରାସ୍ତାରେ ଏବେ ଟିକେ ଛାଇ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଦାଣ୍ଡମକୁନ୍ଦପୁରରୁ ପିପିଲି ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ହେଉଛି । ୩ କିଲୋମିଟର ଲମ୍ବର ରାସ୍ତାକୁ ୧୬ମିଟର ଓସାର କରାଯାଉଛି । ଏଥିପାଇଁ ଭୁବନେଶ୍ୱର ଫରେଷ୍ଟ କର୍ପେରସନ ତରଫରୁ ରାସ୍ତାର ଦୁଇ କଡରେ ଥିବା ଶହ ଶହ ବର୍ଷର ପୁରୁଣା ଗଛ ଗୁଡିକୁ କଟାଯାଉଛି । ଏହାକୁ ନେଇ କେବଳ ବାଟୋଇ ନୁହଁନ୍ତି ଅଞ୍ଚଳବାସୀ ବି ଚିନ୍ତାରେ ପଡିଯାଇଛନ୍ତି । ଗଛ କାଟି କଂକ୍ରିଟ ରାସ୍ତା ତିଆରି କରାଯାଉଛି, ହେଲେ ଗଛଟିଏ ଲଗାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।