ବଲାଙ୍ଗୀରରେ ଚାଞ୍ଚଲ୍ୟ : ବନ୍ଦ ଘରୁ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର; ୭ଟି ପଲିଥିନରେ ରହିଥିଲା ଅଙ୍ଗପ୍ରତ୍ୟଙ୍ଗ

1,201

କନକ ବ୍ୟୁରୋ : ଯୁବକଙ୍କୁ ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡ ଠାରୁ ଗଣ୍ଡି ଅଲଗା କରି ହାଣିଲେ ଦୁର୍ବୃତ୍ତ । ବଲାଙ୍ଗୀରରୁ ଏଭଳି ଛାତି ଥରେଇଦେଲାଭଳି ଘଟଣା ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ କରିବାକୁ ଅଙ୍ଗପ୍ରତ୍ୟେଙ୍ଗକୁ କାଟି ପଲିଥିନ୍ ରେ ଭର୍ତ୍ତି କରାଯାଇଥିଲା । ବନ୍ଦ କୋଠରୀ ମଧ୍ୟରେ ଦେଖିବାକୁ ମିଳିଛି ଏ ଦୃଶ୍ୟ ।

ଘଟଣାଟି ଘଟିଛି ବଲାଙ୍ଗୀର ସହରର ୧୮ ନଂ ୱାର୍ଡ ସାଲେପାଲିପଡାରେ । ପ୍ରାୟ ୨୦ ବର୍ଷ ହେବ ଭଡ଼ାଘରେ ରହୁଥିଲେ ମାର୍କଣ୍ଡ ମେହେର। ମାର୍କଣ୍ଡଙ୍କ ଚାରିପୁଅ। ବଡ଼ପୁଅ ବଲାଙ୍ଗୀର ସହରରେ ରହୁଥିବା ବେଳେ ଆଉ ଜଣେ ପୁଅ ସମ୍ବଲପୁରରେ ରହୁଛନ୍ତି । ତୃତୀୟ ଓ ଚତୁର୍ଥ ପୁଅ, ବାପା ମାର୍କଣ୍ଡ ଏବଂ ମା’ଙ୍କ ସହିତ ସାଲେପାଲିର ଭଡ଼ାଘରେ ରହୁଥିଲେ। ମାର୍କଣ୍ଡଙ୍କ ବଡ଼ପୁଅ କହିବା ଅନୁସାରେ, ତୃତୀୟ ପୁଅ ରିଙ୍କୁ ମାନସିକ ରୋଗୀ ଥିଲେ । ସମୟ ସମୟରେ ସେ ପରିବାର ଲୋକଙ୍କୁ ମାରପିଟ କରୁଥିଲେ । ୨୦ ଦିନ ତଳେ ରିଙ୍କୁ ନିଜ ବାପା ମାର୍କଣ୍ଡଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ମାର୍କଣ୍ଡଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୬ ଦିନ ତଳେ ମାର୍କଣ୍ଡ ଡାକ୍ତରଖାନାରୁ ଫେରିଥିଲେ । ତେବେ ପୁଣି ୪ ଦିନ ତଳେ ମାର୍କଣ୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସାନପୁଅ ଓ ତାଙ୍କ ସ୍ତ୍ରୀ ମାର୍କଣ୍ଡଙ୍କୁ ବୁର୍ଲା ନେଇଥିବା ବେଳେ ସାଲେପାଲି ଭଡ଼ାଘରେ ୪ ଦିନ ହେଲା ରିଙ୍କୁ ଏକା ରହୁଥିଲେ ।

ବୁଧବାର ସକାଳୁ ରିଙ୍କୁ ରହୁଥିବା ବନ୍ଦ କୋଠରିରୁ ଦୁର୍ଗନ୍ଧ ଆସୁଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୱାର୍ଡ କାଉନସିଲର ପୁଲିସକୁ ଜଣାଇଥିଲେ । ବଲାଙ୍ଗୀର ଏସ୍‌ଡିପିଓ, ମାଜିଷ୍ଟ୍ରେଟ୍‌ଙ୍କ ସହିତ ଘଟଣାସ୍ଥଳକୁ ଆସି ତାଲା ଖୋଲି ବନ୍ଦ କୋଠରି ଭିତରରେ ପଶି ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଥିଲେ । ଘର ଭିତରେ ମୁଣ୍ଡବିହୀନ ଖଣ୍ଡ ବିଖଣ୍ଡିତ ଶବ ପଡ଼ି ରହିଥିଲା । ସଙ୍ଗେସଙ୍ଗେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଥିଲା । ସାଇଣ୍ଟିଫିକ୍‌ ଟିମ୍‌ ଆସିବାପରେ ବନ୍ଦ ଘରୁ ଶବକୁ ଉଦ୍ଧାର କରାଯାଇଥିଲା । ଶବର ମୁଣ୍ଡ, ହାତ, ଗୋଡ଼କୁ ଗଣ୍ଡିରୁ ଅଲଗା କରି ଦିଆଯାଇଥିଲା । ତା’ସହିତ କଳା ରଙ୍ଗର ୭ଟି ପଲିଥିନ ଭିତରେ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ଭର୍ତ୍ତି କରାଯାଇଥିଲା । ନିକଟରେ ଫିନାଇଲ ବୋତଲ ମଧ୍ୟ ପଡ଼ିଥିଲା । ହତ୍ୟା ପରେ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଫିଙ୍ଗି ଦେଇ ହତ୍ୟାକାରୀ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରୁଥିବା ପୁଲିସ ସନ୍ଦେହ କରୁଛି ।