ପଞ୍ଜାବାସୀଙ୍କୁ ଚିଠି ଲେଖି ମୋଦୀଙ୍କୁ ମନମୋହନ ସିଂଙ୍କ ସମାଲୋଚନା: କହିଲେ, ପ୍ରଧାନମନ୍ତ୍ରୀ ପଦର ଗାରିମା କ୍ଷୁର୍ଣ୍ଣ କରିଛନ୍ତି

943

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ବାସୀଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ଏକ ଘୃଣ୍ୟ ଭାଷଣ ଦେଇ ମୋଦୀ ପ୍ରଧାନମନ୍ତ୍ରୀ ପଦର ଗମ୍ଭୀରତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି ମନମୋହନ ସିଂ । ଜୁନ୍ ପହିଲାରେ ହେବାକୁ ଥିବା ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ଭୋଟରମାନଙ୍କୁ ନିବେଦନ କରି ମନମୋହନ ସିଂହ ଅନେକ ବିଷୟରେ ଖୋଲାଖୋଲି ଲେଖିଛନ୍ତି । କେବଳ କଂଗ୍ରେସ ହିଁ ବିକାଶ ଓ ପ୍ରଗତିଶୀଳ ଭବିଷ୍ୟତ କୁ ସୁନିଶ୍ଚିତ କରିପାରିବ ବୋଲି ସେ କହିଛନ୍ତି । କଂଗ୍ରେସ କ୍ଷମତାକୁ ଆସିବା ପରେ ହିଁ ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷିତ ରହିବ । ମୋଦୀଙ୍କୁ ଟାର୍ଗେଟ କରି ମନମୋହନ ସିଂହ କହିଛନ୍ତି, ସେ ଏହି ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ବିତର୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ମୋଦୀଙ୍କ ଘୃଣ୍ୟ ଅଭିଭାଷଣ ସମ୍ପୂର୍ଣ୍ଣ ବିଭାଜନକାରୀ ଭଳି । ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ନିଜ ପଦର ଗାରିମାକୁ ତଳକୁ ନେଇଛନ୍ତି । ଅତୀତରେ କୌଣସି ପ୍ରଧାନମନ୍ତ୍ରୀ ଏଭଳି ଘୃଣ୍ୟ, ଅସଂସଦୀୟ ଓ ଅସଭ୍ୟ ଶବ୍ଦ ବ୍ୟବହାର କରିନଥିଲେ ବୋଲି ମନମୋହନ ସିଂହ କହିଛନ୍ତି । ନିକଟରେ ପ୍ରଚାର ବେଳେ ମୋଦୀ କହିଥିଲେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର ସମ୍ପତ୍ତିକୁ ‘ଯେଉଁମାନଙ୍କର ଅଧିକ ସନ୍ତାନ ଅଛି’ ସେମାନଙ୍କୁ ବାଂଟି ଦେବ । ମନମୋହନ ସିଂହ କହିଥିବା ଏକ ବକ୍ତବ୍ୟ ‘ଦେଶର ସମ୍ବଳ ଉପରେ ମୁସଲମାନମାନଙ୍କର ପ୍ରଥମ ଦାବି ରହିଛି’ କଥା ଦୋହରାଇ ମୋଦୀ ଏପରି କହିଥିଲେ । ଯାହାର ଜବାବ ଦେବାକୁ ଯାଇ ମନମୋହନ ସିଂହ ଏପରି କହିଛନ୍ତି ।