ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ, ଗଣମାଧ୍ୟମରେ ଆଲୋଚନା ପରେ ଜାଣନ୍ତୁ କଣ କହିଲେ ଏନ ବିରେନ ସିଂ

229

କନକ ବ୍ୟୁରୋ : ମଣିପୁରରେ ଦୀର୍ଘ ୨ମାସ ହେବ ଲାଗି ରହିଥିବା ହିଂସା ମଧ୍ୟରେ ମଣିପୁର ମୂୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଇସ୍ତଫା ଦେବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଇମ୍ଫାଲରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜ୍ୟପାଳ ଭବନ ନିକଟରେ ବିରେନ୍ ସିଂଙ୍କ ସମର୍ଥକମାନେ ଭିଡ ଜମାଇଛନ୍ତି । ହେଲେ ଠିକ୍ ଏତିକି ବେଳେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କର ଏକ ଟ୍ୱିଟ୍ ପୁଣି ଗଣମାଧ୍ୟମ ଚର୍ଚ୍ଚା ଉପରେ ରୋକ୍ ଲଗାଇ ଦେଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି କି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉ ନାହିାଁନ୍ତି ।

ସେପଟେ ସ୍ଥାନୀୟ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଏନ୍ ବିରେନ୍ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ନୁହେଁ । ସେ ରାଜ୍ୟପାଇଁ ଅନେକ କାମ କରିଛନ୍ତି ଓ ଆଗାମୀ ଦିନରେ ହିଂସା ରୋକିବାରେ ମୁଖ୍ୟମନ୍ତ୍ରୀ ସମର୍ଥ ହେବେ ବୋଲି ସମର୍ଥକମାନେ କହିଛନ୍ତି ।

ଅନ୍ୟପଟେ ଏନ୍ ବିରେନ୍ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉ ନଥିବା ନେଇ ଟ୍ୱିଟ୍ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଇସ୍ତଫା ପତ୍ର ବେଶ୍ ଭାଇରାଲ ହୋଇଥିଲା । ଏଥିରେ ଲେଖାଥିଲା କି ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ହେଲେ ଏହି ଇସ୍ତଫା ପତ୍ର ଏକ ଚିରା କାଗଜରେ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା ।