ଭାରତୀୟ ଯୁବକ ଘରେ ପ୍ରସ୍ତୁତ କରିଦେଲେ ଉଡାଜାହାଜ । ଏବେ ପରିବାର ସହ କରୁଛନ୍ତି ବିଦେଶ ଭ୍ରମଣ

289

କନକ ବ୍ୟୁରୋ : ଥରେ ସ୍ତ୍ରୀଙ୍କ ସଂଗେ ଛୁଟି କଟାଇବାକୁ ବିଦେଶ ଯିବା ପାଇଁ ଯୁବକ ଜଣଙ୍କ ଏକ ଦୁଇଟି ସିଟ ଥିବା ବିମାନ ଭଡାରେ ଆଣିଥିଲେ । ଏହାପରେ ସେମାନଙ୍କର ପରିବାର ବଢିଲା । ଯୁବକ ଜଣଙ୍କ ଦୁଇଟି ପିଲାର ବାପା ହେବା ପରେ ତାଙ୍କର ପରିବାର ସଂଖ୍ୟା ୪ ରେ ପହଂଚିଗଲା । ଏହାପରେ ଛୁଟିକାଟିବାକୁ ବାହାର ଦେଶକୁ ବୁଲିଯିବା ପାଇଁ ତାଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଲା । କାରଣ ୪ ସିଟ୍ ଥିବା ବିମାନ ସହଜରେ ମିଳେ ନାହିଁ କିମ୍ବା ଏହାର ଭଡା ବାବଦକୁ ଅଧିକ ଅର୍ଥ ଦେବାକୁ ପଡିଥାଏ । ଏହାକୁ ନଜରରେ ରଖି ଯୁବକ ଜଣଙ୍କ ନିଜ ଘରେ ବିଭିନ୍ନ ସାମଗ୍ରୀର ଉପଯୋଗ କରି ଏକ ୪ ସିଟ୍ ଥିବା ବିମାନ ପ୍ରସ୍ତୁତ କରିଛନ୍ତି । ଏହି ବିମାନରେ ଯୁବକ ଜଣଙ୍କ ନିଜ ପରିବାର ଓ ସାଂଗ ସାଥିଙ୍କ ସହ ବିଭିନ୍ନ ଦେଶ ପରିଭ୍ରମଣ କରି ଫେରିଛନ୍ତି ।

ଏଭଳି ବିମାନ ପ୍ରସ୍ତୁତ କରିଥିବା ଯୁବକଙ୍କ ନାମ ହେଉଛି ଅଶୋକ ଅଲିିସୋରିଲ ଥାମାଶକ୍ଷନ ଓ ସେ କେରଳର ଆଲ୍ଲାପୁଝାରେ ରହନ୍ତି । ଅଶୋକ କେରଳର ପୂର୍ବତନ ବିଧାୟକ ଏ ବି ଥାମାଶକ୍ଷନଙ୍କ ପୁଅ । ୩୮ ବର୍ଷିୟ ଅଶୋକ ପାଲକାଦ ଇଂଜିନିୟରିଂ କଲେଜରୁ ବି ଟେକ କରିଛନ୍ତି । ଏହାପରେ ୨୦୦୬ ମସିହାରେ ସେ ମାଷ୍ଟର ଡିଗ୍ରୀ ପାଇଁ ଲଣ୍ଡନ ଯାଇଥିଲେ । ଅଶୋକ ପେଶାରେ ଜଣେ ମେକାନିକାଲ ଇଂଜିନିୟର । ଏବେ ସେ ଫୋର୍ଡ ମୋଟର କମ୍ପାନୀ ପାଇଁ କାମ କରୁଛନ୍ତି ।

ଅର୍ନ୍ତଜାତୀୟ ଗଣମାଧ୍ୟମ ‘ଦ ସନ’ ମୁତାବକ ଅଶୋକଙ୍କୁ ଏହି ବିମାନ ପ୍ରସ୍ତୁତ କରିବାରେ ପାଖାପାଖି ୧ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଆନୁମାନିକ ୧୮ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଏହାକୁ ଅଶୋକ ପ୍ରସ୍ତୁତ କରିଛନ୍ତି । ଅଶୋକ ତାଙ୍କ ଝିଅଙ୍କ ନାମ ଜି-ଡିୟା ନାମରେ ଏହି ବିମାନର ନାମକରଣ କରିଛନ୍ତି । ଏବେ ଏହି ବିମାନରେ ପୁରା ପରିବାରର ୪ ଜଣ ଆରାମରେ ଭ୍ରମଣ କରିପାରୁଛନ୍ତି ।