କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ବୟାନକୁ ଜୋରଦାର ବିରୋଧ । ମୁହାଁମୁହିଁ ହେଲେ ସୋନିଆ ଓ ସ୍ମୃତି ଇରାନୀ । 

184

କନକ ବ୍ୟୁରୋ: ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଏକ ବୟାନକୁ ନେଇ ସଂସଦରେ ଉଠିଲା ଝଡ । ଲୋକସଭାରେ କଂଗ୍ରେସ ନେତାଙ୍କ ଆଚରଣକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସଂସଦ ବାହାରେ ମଧ୍ୟ ପ୍ଲାକାର୍ଡ ଧରି କଂଗ୍ରେସ ନେତାଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ସମ୍ବୋଧନ କରିଥିଲେ କଂଗ୍ରେସ ନେତା ଅଧିର ରଞ୍ଜନ ।

ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଜେରା କରିବା ବେଳେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଏହି ପ୍ରତିକ୍ରିୟା ରଖଥିଲେ । ତେବେ ଏହା ଭୁଲବଶତଃ ଥିଲା ନା ଜାଣିଶୁଣି ସେ କହିଥିଲେ ତାକୁ ନେଇ ବିବାଦ ବଢିଛି ।

ଆଜି ସଂସଦ ଭିତରେ ଏବଂ ବାହାରେ ଦୁଇଟି ଚିତ୍ର ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତାଙ୍କ ଆଚରଣକୁ ନେଇ ବର୍ଷିଛନ୍ତି ।  ଅନ୍ୟପଟେ ପ୍ଲାକାର୍ଡ ଧରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କିଛି ସାଂସଦ କଂଗ୍ରେସ ନେତାଙ୍କୁ ଘେରିଛନ୍ତି । ଅଧୀରଙ୍କ ବୟାନ ଦେଶର ସର୍ବୋଚ୍ଚ ପଦବୀରେ ବସିଥିବା ବ୍ୟକ୍ତିଙ୍କୁ ଅପମାନ । ଏପରି ଅଶୋଭନୀୟ ବୟାନକୁ ଦେଶ କେବେ ସହିବ ନାହିଁ ବୋଲି ବିଜେପିି କହିଛି । କଂଗ୍ରେସ ନେତା ଯାହା କହିଛନ୍ତି ସେଥିପାଇଁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ  କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି ।

  • ବିବାଦ ପରେ ଅଧୀର ରଞ୍ଜନଙ୍କ ସଫେଇ
  • ‘ରାଷ୍ଟ୍ରପତିକୁ ରାଷ୍ଟ୍ରପତ୍ନୀ ଭୁଲରେ ବାହାରିଯାଇଛି’
  • ‘ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚାଲ କରୁଛି ବିଜେପି’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ନେଇ ସଂସଦରେ ଘେରିବା ପରେ କଂଗ୍ରେସ ମଧ୍ୟ ଜବାବ ରଖଛି । ଅଧୀର କହିଛନ୍ତି, ଭୁଲରେ ତାଙ୍କ ପାଟିରୁ ବାହାରି ଯାଇଛି । ସେ ବିଜେପିକୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି । ଅଗ୍ନିପଥ ଯୋଜନା, ବେରୋଜଗାରୀ, ଜିଏସଟି ଏବଂ ଅନ୍ୟ ସମସ୍ୟା ଉପରୁ ଧ୍ୟାନ ହଟାଇବାକୁ ବିଜେପି ଏହାକୁ ଅଯଥାରେ ବଢାଉଛି । ରାଷ୍ଟପତି ବ୍ରାହ୍ମଣ ହୁଅନ୍ତୁ କି ଆଦିବାସୀ ତାଙ୍କ ପ୍ରତି ସମ୍ମାନ ରହିଛି ବୋଲି ସେ କହିଛନ୍ତି । ସେପଟେ ସ୍ମୃତି ଇରାନୀ ଏହାକୁ ନେଇ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପରେ ବିବାଦ ଆହୁରି ତେଜିଛି । ଆଉ ତାଙ୍କ ସହ କଥା ନ ହେବାକୁ ସ୍ମୃତି ଇରାନୀଙ୍କୁ ସୋନିଆ କହିଛନ୍ତି ।

ଅନ୍ୟପଟେ ବିଧାନସଭାରେ ଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ଜୋରଦାର ହଙ୍ଗାମା କରିଥିଲେ । ବିଜେପିର ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।