ଏ ଯୁଗର ଶ୍ରବଣ କୁମାର : ମା’ଙ୍କୁ ତୀର୍ଥ ଭ୍ରମଣ କରାଇବା ପାଇଁ ଛାଡ଼ିଲେ ଚାକିରି, ୨୦ ବର୍ଷର ପୁରୁଣା ବଜାଜ୍ ଚେତକ ସ୍କୁଟରରେ ମା’ଙ୍କୁ ନେଇ ୪୮,୧୦୦ କିମି ବୁଲିଲେ ଡି. କୃଷ୍ଣ କୁମାର

730

କନକ ବ୍ୟୁରୋ : ଆଉ ଜଣେ ଶବଣ କୁମାର । ମହୀଶୂରର ଜଣେ ବ୍ୟକ୍ତି ନିଜ ମା’ଙ୍କୁ ସ୍କୁଟରରେ ତୀର୍ଥଯାତ୍ରା କରାଇଛନ୍ତି । ୩୭ ବର୍ଷୀୟ ଡି କୃଷ୍ଣ କୁମାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । କୃଷ୍ଣ କୁମାର ତାଙ୍କର ୭୦ ବର୍ଷୀୟା ମା’ଙ୍କୁ ସ୍କୁଟରରେ ବସାଇ ତୀର୍ଥଯାତ୍ରା କରାଇବା ଫଟୋ ଭାଇରାଲ୍ ହୋଇଛି । କୃଷ୍ଣ କୁମାରଙ୍କ ବିରଳ କାହାଣୀ ନନ୍ଦି ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାରଙ୍କ ଦ୍ବାରା ଟ୍ବିଟରରେ ସେୟାର କରାଯାଇଛି । ମନୋଜ କୁମାରଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡିଓରୁ ଜଣାପଡ଼ିଛି କୃଷ୍ଣ କୁମାର ତାଙ୍କ ମା’ଙ୍କୁ ତୀର୍ଥଯାତ୍ରାରେ ବୁଲାଇବାପାଇଁ ତାଙ୍କ ଚାକିରି ଛାଡ଼ି ଦେଇଛନ୍ତି ।

ତେବେ ମା’ଙ୍କୁ ସେ କୌଣସି ଦାମୀ କାର୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ତୀର୍ଥଯାତ୍ରାରେ ନେଇନାହାନ୍ତି । ବରଂ ୨୦ ବର୍ଷର ପୁରୁଣା ବଜାଜ୍ ଚେତକ ସ୍କୁଟରରେ ସେ ତାଙ୍କ ମା’ଙ୍କୁ ଦୀର୍ଘ ୪୮,୧୦୦ କିମି ବୁଲାଇଛନ୍ତି । କୃଷ୍ଣ କୁମାର କହିଛନ୍ତି, ତାଙ୍କ ମା ଜୀବନରେ ଯେଉଁ ତ୍ୟାଗ କରିଛନ୍ତି ସେଥିଲାଗି ସେ କେବଳ ପର୍ଯ୍ୟାପ୍ତ ସମୟ ପାଇବାର ହକଦାର ନୁହନ୍ତି ବରଂ ସେ ବିଶେଷ ସମ୍ମାନର ମଧ୍ୟ ଅଧିକାରିଣୀ । ମା’ଙ୍କ ପାଇଁ ଏତିକି ବି ଯଥେଷ୍ଟ ନୁହେଁ ।

କୃଷ୍ଣ କୁମାର ତାଙ୍କ ମା’ଙ୍କୁ ସ୍କୁଟରରେ ବସାଇ ଭାରତର ସମସ୍ତ ପ୍ରମୁଖ ତୀର୍ଥସ୍ଥାନଗୁଡ଼ିକ ବୁଲାଇ ଦେଖାଇଛନ୍ତି । ଗତ ବର୍ଷ ଜାନୁଆରିରେ କୃଷ୍ଣକୁମାର ଏବଂ ତାଙ୍କ ମା’ ତୀର୍ଥଯାତ୍ରାରେ ବାହାରିଥିଲେ । ଯାତ୍ରା ସମୟରେ ସେମାନେ ହୋଟେଲ ରେରହିବା ପରିବର୍ତ୍ତେ ମଠ ଓ ମନ୍ଦିରରେ ରହୁଥିଲେ।

କୃଷ୍ଣକୁମାର ତାଙ୍କ ମା’ଙ୍କ ପାଇଁ ଯେଉଁ ମହତ କାର୍ଯ୍ୟ କରିଛନ୍ତି ତାହା ଜାଣିବା ପରେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କୁ ଏବେ ଏକ କାର୍ ଦେବାକୁ ଚାହିଛନ୍ତି । ଆନନ୍ଦ ମହିନ୍ଦ୍ରା ଟ୍ବିଟରରେ କହିଛନ୍ତି, ଏହା ଏକ ଚମତ୍କାର କଥା। ଏଭଳି ବ୍ୟକ୍ତିଙ୍କ ସହ ମତେ ଭେଟ କରାଇଲେ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଏକ କାର୍ ଉପହାର ଦେବି । ତେଣୁ ପରବର୍ତ୍ତୀ ତୀର୍ଥଯାତ୍ରାରେ ସେ ତାଙ୍କ ମା’ଙ୍କୁ ନେଇ ସୁରୁଖୁରୁରେ ଯାଇପାରିବେ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି ।