ଭିନ୍ନକ୍ଷମ ନୁହେଁ ସେ ସକ୍ଷମ ଜଗନ୍ନାଥ । ଦିବ୍ୟାଙ୍ଗ ହାତରେ କାଠରେ ସୁନ୍ଦର କାରୁକାର୍ଯ୍ୟ କରୁଛନ୍ତି ମାଥିଲିର ଜଗନ୍ନାଥ ଓଝା

98

କନକ ବ୍ୟୁରୋ: ସେ ଅକ୍ଷମ ନୁହଁନ୍ତି । ପିଲାଟି ଦିନରୁ ଭିନ୍ନକ୍ଷମର ପ୍ରାଥମିକତାରେ ସେ ବଢି ଆସିଛନ୍ତି ସତ । ହେଲେ ସକ୍ଷମ ମଣିଷ ଠାରୁ କିନ୍ତୁ ସେ କମ୍ ନୁହଁନ୍ତି । ବାପାଙ୍କ କାଠ କାର୍ଯ୍ୟର କାରୁକଳା ଦେଖି ନିଜେ ବି ଶୁଖିଲା କାଠ ମୁହଁରେ ହସ ଫୁଟାଉଛନ୍ତି ଭିନ୍ନକ୍ଷମ ଜଗନ୍ନାଥ । ପଡିଥିବା ଅବ୍ୟବହୃତ କାଠ ସଂଗ୍ରହ କରି କାଠରେ ସରଞ୍ଜାମକୁ ତୋଳିଛନ୍ତି ସେ । ତାଙ୍କ ଆଦୃତ କାଠ କୀର୍ତ୍ତି ସତରେ ଦେଖିଲେ ମନକୁ ଛୁଇଁଯିବ । ପାଟିରୁ ବା ବା ଶବ୍ଦ ବାହାରି ପଡିବ । ତେବେ ଏତେ ସବୁ ପରେ ବି ଅର୍ଥାଭାବରୁ ପୁଅ ଜଗନ୍ନାଥର ପାଠ ପଢା ବନ୍ଦ କରି ଦେଇଛନ୍ତି ପରିବାର ଲୋକେ ।

କାଠରେ ଖୋଦେଇ ହୋଇଛି ଦିବ୍ୟାଙ୍ଗ ଛାତ୍ରଙ୍କ କାରିଗରି । ଭିନ୍ନଭିନ୍ନ କାଠରେ କୀର୍ତ୍ତି ତିଆରି କରି ଚର୍ଚ୍ଚାରେ ମାଲକାନଗିରି ମାଥିଲି ସଦରର ଜଗନ୍ନାଥ ଓଝା । ବୟସ ମାତ୍ର ୧୬ ବର୍ଷ । ଜଗନ୍ନାଥଙ୍କ ବାପା କାହ୍ମୁଚରଣ ଓଝା ଜଣେ କାଠ କରିଗର । ବାପାଙ୍କ ଠାରୁ ପ୍ରେରଣା ପାଇଁ ଜଗନ୍ନାଥ ବି ଆରମ୍ଭ କରିଛନ୍ତି ସେହି କାମ । ଫିଙ୍ଗା ହୋଇଥିବା କାଠକୁ ଗୋଟାଇ ଆଣି ଜୀବନ୍ତ କରି ଗଢି ତୋଳୁଛନ୍ତି ଜଗନ୍ନାଥ । କାଠରେ ଛୋଟ ପଲଙ୍କ, ଖଟ, ଆଲଣା, ଡ୍ରେସିଂ ଡେବୁଲ, ପୂଜା ରଥ ଓ ସୋଫା ସେଟ୍ ଆଦି ଭିନ୍ନଭିନ୍ନ ଘରକରଣା ସାମଗ୍ରୀ ତିଆରି କରୁଛନ୍ତି ।

ବାପା କାଠ କାମ କରି ବହୁ କଷ୍ଟରେ ଜଗନ୍ନାଥଙ୍କୁ ଦଶମ ଯାଏଁ ପଢାଇଛନ୍ତି । କିନ୍ତୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଆଉ ପୁଅକୁ ଆଗକୁ ପଢାଇବାକୁ ସାହାସ କରିପାରୁନାହାନ୍ତି । କଲେଜ ଫି ଦେବାକୁ ସକ୍ଷମ ନଥିବାରୁ ଜଗନ୍ନାଥଙ୍କ ପାଠପଢା ବନ୍ଦ ହୋଇଯାଇଛି । ଜଗନ୍ନାଥ ବି ଭଲ ପାଠ ପଢନ୍ତି । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଆଗରେ ମୁଣ୍ଡ ନୁଆଁଇ ବାପାଙ୍କ କାମରେ ମନ ନିବେଶ କରିଛନ୍ତି । ଦିବ୍ୟାଙ୍ଗ ପୁଅର ଏପରି କାମକୁ ଦେଖି ବାପାମାଆ ମଧ୍ୟ ଦିନେ ତାଜୁବ ହୋଇଯାଇଥିଲେ ।