ଅଧା ରହିଗଲା ଆକାଶରେ ଉଡିବାର ସ୍ୱପ୍ନ । ନିଜେ ହେଲିକପ୍ଟର ତିଆରି କରି କରୁଥିଲେ ପରୀକ୍ଷା । ଆକାଶରେ ଉଡିବା ପୂର୍ବରୁ ହେଲିକପ୍ଟର ପଙ୍ଖା ଖସି ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ ।

342

କନକ ବ୍ୟୁରୋ: ବୟସ ମାତ୍ର ୨୫ ବର୍ଷ, ଆଉ ଶିକ୍ଷା କହିଲେ ଅଷ୍ଟମ ପାସ । ହେଲେ ସ୍ୱପ୍ନ ଥିଲା ବହୁତ ବଡ, ଦିନେ ଆକାଶରେ ଉଡିବାକୁ ସେ ସ୍ୱପ୍ନ ଦେଖୁଥିଲେ । ଛୋଟ ଛୋଟ ସାମଗ୍ରୀ ଏକାଠି କରି ଘରେ ତିଆରି କରିଥିଲେ ହେଲିକପ୍ଟର । ମାତ୍ର କିଛି ସମୟ ପରେ ତାଙ୍କ ସ୍ୱପ୍ନ ପୂରଣ ହୋଇଥାନ୍ତା । ଆଉ ସେ ଆକାଶରେ ଉଡିଥାନ୍ତେ । ହେଲେ ଭାଗ୍ୟ ସାଥ ଦେଲାନି । ଆଉ ଆକାଶରେ ଉଡିବାର ତାଙ୍କର ଏହି ସ୍ୱପ୍ନ କେବଳ ଏହି ସ୍ୱପ୍ନରେ ହିଁ ରହିଗଲା । ନିଜେ ତିଆରି କରିଥିବା ହେଲକପ୍ଟର ଟେଷ୍ଟିଂ ବେଳେ ତାଙ୍କର ମୃତ୍ୟୁ ହୋଇଗଲା ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ୟବତମାଳ ଜିଲ୍ଲାରେ । ଫୁଲସାବଙ୍ଗୀ ଅଞ୍ଚଳର ଶେଖ ଇସମାଇଲ ଓରଫ ମୁନ୍ନା ଶେଖ । ଛୋଟ ବେଳୁ ମୁନ୍ନା ବଡ ବଡ ସ୍ୱପ୍ନ ଦେଖୁଥିଲେ । କିଛି ବଡ କରିବାର ଆଶା ତାଙ୍କ ମନରେ ଥିଲା । ପାଠ ସିନା ଅଧିକ ପଢିପାରିଲେନି । ହେଲେ କମ ବୟସରେ ସେ ତିଆରି କିରଦେଲେ ହେଲିକପ୍ଟର । ଆଉ ହେଲିକପ୍ଟରର ନାଁ ରଖିଥିଲେ ‘ମୁନ୍ନା ହେଲିକପ୍ଟର’ ।

ମୁନ୍ନାଙ୍କ ଏଭଳି ପ୍ରୟାସ ଯୋଗୁଁ ଗାଁ ଲୋକ ତାଙ୍କୁ ରଞ୍ଚୋ ବୋଲି ଡାକୁଥିଲେ । ତାଙ୍କର ହାତ ତିଆରି ହେଲିକପ୍ଟର ଯୋଗୁଁ ମୁନ୍ନା ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ । ମୁନ୍ନାଙ୍କ ଏହି ହେଲିକପ୍ଟର ଦେଖିବାକୁ ବାଙ୍ଗାଲୋରରୁ ଏକ ଟିମ ଆସିବାର ଥିଲା । ହେଲେ ତା ପୂର୍ବରୁ ମୁନ୍ନା ନିଜ ହେଲିକପ୍ଟରର ଟ୍ରାଏଲ ଆରମ୍ଭ କରିଥିଲେ । ସେ କଣ ଜାଣିଥିଲେ ତାଙ୍କର ଏହି ସ୍ୱପ୍ନ ପୂରା ହେବା ଆଗରୁ ତାଙ୍କ ଜୀବନ ଚାଲିଯିବ ବୋଲି ।

ମୁନ୍ନା ଦେଖିଥିବା ସ୍ୱପ୍ନ କିଛି ସମୟ ପରେ ପୂରା ହୋଇଥାନ୍ତା । ୧୦ ତାରିଖ ରାତିରେ ମୁନ୍ନା ଟ୍ରାଏଲ କରିବା ପାଇଁ ସେ ଯାଇ ନିଜେ ହେଲିକପ୍ଟରରେ ବସିଥିଲେ । ଆଉ ପାଖରେ ତାଙ୍କ ସାଙ୍ଗମାନେ ବି ଥିଲେ । ଏହି ସମୟରେ ହେଲିକପ୍ଟରର ପଛ ପଙ୍ଖା ଜୋରରେ ଘୁରି ଭାଙ୍ଗି ଯାଇଥିଲା । ଏହା ଯାଇ କ୍ୟାବିନରେ ବସିଥିବା ମୁନ୍ନାଙ୍କ ମୁଣ୍ଡରେ ବାଜିଥିଲା । ଆଉ ସେହିଠାରେ ଟଳି ପଡିଥିଲେ ମୁନ୍ନା । ପୂରା ହେବାକୁ ଥିବା ତାଙ୍କ ସ୍ୱପ୍ନ ଉପରେ ସେହିଠାରେ ହିଁ ପୂର୍ଣ୍ଣଛେଦ ପଡିଯାଇଥିଲା ।

ମୁନ୍ନା ସିନା ପାଠ କମ ପଢିଥିଲେ, ହେଲେ କମ ବୟସରେ ତାଙ୍କର ଏହି ପ୍ରୟାସ ନିଶ୍ଚେ ତାଙ୍କୁ ସଫଳତା ଦେଇଥାନ୍ତା । ହେଲେ ତାଙ୍କ ସ୍ୱପ୍ନରେ ଡେଣା ଲାଗିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା । ହୁଏତ ଆଜି ମୁନ୍ନା ବଞ୍ଚିଥିଲେ ତାଙ୍କ ସଫଳତା ପାଇଁ ସେ ଅନେକ ପ୍ରଶଂସା ସାଉଁଟୁଥାନ୍ତେ ।