୬୫-୩୫ ଫର୍ମୁଲାରେ ମହାରାଷ୍ଟ୍ରରେ ଗଠନ ହୋଇପାରେ ମନ୍ତ୍ରୀମଣ୍ଡଳ । ଜାଣନ୍ତୁ, କେଉଁ ଦଳକୁ କେତେ ନେତା ହେବେ ମନ୍ତ୍ରୀ?

148

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ, ବିଜେପି ମଧ୍ୟ ଏକନାଥଙ୍କ ସହ ମିଶି ପୁଣି ମହାରାଷ୍ଟ୍ରରେ ସରକାରକୁ ଫେରିଛି, ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ ଦୁଇ ନେତା ଶପଥ ନେବାର ଏତେ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରିନି କି ନୂଆ ମନ୍ତ୍ରୀ ମାନେ ଶପଥ ନେଇନାହାଁନ୍ତି । ତେଣୁ ଏସବୁ ଭିତରେ ଖୁବଶୀଘ୍ର ଏକନାଥ ସରକାରର ମନ୍ତ୍ରୀମଣ୍ଡଳ ଗଠନ ହେବ ବୋଲି ଚର୍ଚ୍ଚା ହେଉଛି ।

କୁହାଯାଉଛି ଏଥର ମହାରାଷ୍ଟ୍ରରେ ମୋଟ ୪୨ ଜଣ ମନ୍ତ୍ରୀ ରହିବେ । ଏଥିରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସାମିଲ ଅଛି । ଏକନାଥ ସିନ୍ଦେ ଏବେ ମୁଖ୍ୟମନ୍ତ୍ରୀ ଭାବରେ ଥିବାବେଳେ, ଦେବେନ୍ଦ୍ର ଫଡନାବିସ୍ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେଣୁ ଆଉ ୪୦ ଜଣ ନେତା ମନ୍ତ୍ରୀ ପଦ ପାଇବେ ।

ସୂଚନାଯୋଗ୍ୟ ଯେ, ଶିବସେନା ସହ ଏକନାଥ ଯେତେବେଳେ ବିଦ୍ରୋହ କରିଥିଲେ ସେତେବେଳେ ତାଙ୍କ ସହିତ ୯ ଜଣ ମନ୍ତ୍ରୀ ଚାଲିଯାଇଥିଲେ । ଅନୁମାନ କରାଯାଉଛି ଏହି ୯ ଜଣ ବିଧାୟକଙ୍କୁ ପୁଣି ମନ୍ତ୍ରୀପଦ ମିଳିପାରେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀପଦ ମିଳିବାକୁ ଥିବାବେଳେ, ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ ବୋଲି ଅନୁମାନ କରାଯାଉଛି । ଏଭଳି ହେଲେ ମହାରାଷ୍ଟ୍ର ସରକାରରେ ସିନେ୍ଧ ଗୋଷ୍ଠୀର ୧୫ରୁ ୧୬ ଜଣ ମନ୍ତ୍ରୀ ରହିବେ ।

ସିନ୍ଦେ ସରକାରରେ ବିଜେପିକୁ କିନ୍ତୁ ଅଧିକ ମନ୍ତ୍ରୀ ପଦ ମିଳିବା ପକ୍କା । ମିଳିଥିବା ସୂଚନା ମୁତାବକ ୬୫/୩୫ ଆଧାରରେ ମନ୍ତ୍ରୀମଣ୍ଡଳ ବଣ୍ଟନ ହୋଇପାରେ । ତେଣୁ ଏହି ସୂଚନା ଯଦି ସତ ହୁଏ, ତେବେ ବିଜେପି ନେତାଙ୍କୁ ୨୪ରୁ ୨୫ ମନ୍ତ୍ରୀ ପଦ ମିଳିପାରେ । ସେହିପରି ସିନ୍ଦେ ଗୋଷ୍ଠୀଙ୍କୁ ୧୫ରୁ ୧୬ ମନ୍ତ୍ରୀପଦ ମିଳିବା କଥା କୁହାଯାଉଛି । ଏହାସହିତ କିଛି ଛୋଟ ଛୋଟ ଦଳ ମଧ୍ୟ ସିନ୍ଦେ ସରକାରକୁ ସମର୍ଥନ ଜଣାଇଛନ୍ତି । ତେଣୁ ଏହି ଦଳକୁ ମଧ୍ୟ କିଛି ମନ୍ତ୍ରୀପଦ ଦିଆଯାଇପାରେ ବୋଲି କୁହାଯାଉଛି ।

ଏଥିରୁ ଗୋଟିଏ କଥା ପକ୍କା ହୋଇଯାଇଛି ଯେ, ଯଦିଓ ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିନି କିନ୍ତୁ ବାଚସ୍ପତି, ଉପ-ମୁଖ୍ୟମନ୍ତ୍ରୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିବାକୁ ଯାଉଛି ।