ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ, ଗଡକରୀଙ୍କୁ ଶିବାଜୀ ମହାରାଜଙ୍କ ସହ କଲେ ତୁଳନା

129

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋସିୟାରୀ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୋସିୟାରୀ କହିଥିଲେ କି ଛତ୍ରପତି ଶିବାଜୀ ମହାରାଜ ପୁରୁଣା କାଳର କଥା ହେଲେ ଆଜିର ଯୁଗରେ ନୀତିନ ଗଡକରୀ ହେଉଛନ୍ତି ବାସ୍ତବରେ ଶିବାଜୀଙ୍କର ନୂଆ ରୂପ ଓ ନାୟକ ମଧ୍ୟ । ତାଙ୍କର ଏଭଳି ବୟାନ ପରେ ଆମ୍ ଆଦମୀ ପାର୍ଟି କୋସିୟାରୀଙ୍କ ଇସ୍ତଫା ଦାବି କରିଛି ।

ଏହି ସଭାରେ କୋସିୟାରୀ କହିଥିଲେ କି ‘ଆମେ ସ୍କୁଲରେ ପାଠ ପଢିବା ବେଳେ ଶିକ୍ଷକମାନେ ପଚାରୁଥିଲେ କି ତୁମର ପ୍ରିୟ ହିରୋ କିଏ ? କିଛି ପିଲା ସୁବାଶ ବୋଷଙ୍କ ନାମ କହୁଥିଲେ ତ କିଛି ନେହରୁଙ୍କ ନାମ ଯାହାକୁ ଯାହା ପସନ୍ଦ ସେ ଉତର ଦେଉଥିଲେ । ହେଲେ ଆଜିର ସମୟରେ ଯଦି କେହି ଆପଣଙ୍କୁ ପଚାରନ୍ତି ଆପଣଙ୍କ ପସନ୍ଦର ନେତା କିଏ ? ତେବେ ଆପଣ ବାହାରକୁ ଯିବାକୁ ପଡିବ ନାହିଁ ଆପଣଙ୍କୁ ଆପଣଙ୍କ ନେତା ମହାରାଷ୍ଟ୍ରରେ ମିଳିଯିବେ । ଶିବାଜୀ ତ ପୁରୁଣା କାଳର କଥା ହେଲେ ନୂଆ ଯୋଗରେ ଭୀମରାଓ ଆମ୍ବେଦକରଙ୍କ ଠାରୁ ନୀତିନ ଗଡକରୀ ପର୍ଯ୍ୟନ୍ତ ଆପଣଙ୍କୁ ମହାରାଷ୍ଟ୍ରରେ ମିଳିଯିବେ’

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଏନସିପି ନେତା ଶରଦ ପାୱାରଙ୍କୁ ତମରାୱାଡା ବିଶ୍ୱବିଦ୍ୟାଳୟରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋସିୟାରୀ ଏଭଳି ବୟାନ ଦେଇଛନ୍ତି ।

ରାଜ୍ୟପାଳଙ୍କର ଏଭଳି ବୟାନ ଉପରେ ଆମ୍ ଆଦମୀ ପାର୍ଟି ଟାର୍ଗେଟ୍ କରିଛି । ପାର୍ଟିର ନେତା ପ୍ରୀତି ମେନନ୍ ଟ୍ୱିଟ କରି କୋସିୟାରୀଙ୍କର ଇସ୍ତଫା ଦାବି କରିଛନ୍ତି । ଏହାସହ ଏଭଳି ବୟାନ ପାଇଁ ରାଜ୍ୟପାଳ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।