ଉଗ୍ରରୂପ ନେଉଛି ଉଦ୍ଧବ ଠାକରେ ଓ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ବିବାଦ : ବିଦ୍ରୋହୀ ଶିବସେନା ବିଧାୟକଙ୍କ କାର୍ଯ୍ୟାଳୟ ଭାଙ୍ଗିଲେ କର୍ମୀ

114

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଜି ପୁଣେରେ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତିି ଶିବସେନା କର୍ମୀ । ଏହା ପରେ ବିଦ୍ରୋହୀ ବିଧାୟକଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ରର ଗୃହମନ୍ତ୍ରୀ । ଏପଟେ ‘ଶିବସେନା ବାଲାସାହେବ’ ନାଁରେ ଏକ ନୂଆ ଗୋଷ୍ଠୀ ଗଠନ କରିଛନ୍ତି ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକ ।

ମହାରାଷ୍ଟ୍ର ସରକାର ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଥିବା ନେଇ ଆଜି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଟୁଇଟ କରିଥିଲେ । ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ସିନ୍ଦେ କହିଛନ୍ତି ପଞ୍ଜାବରେ ଭିଆଇପିଙ୍କ ସୁରକ୍ଷା ହଟାଇବା ପରେ ଗୁଣ୍ଡା, ଗ୍ୟାଙ୍ଗଷ୍ଟାରମାନେ ସେମାନଙ୍କୁ ଟାର୍ଗେଟ କରଥିଲେ । ମହାରାଷ୍ଟ୍ର ଠିକ୍ ସେହିପରି ଘଟିବାକୁ ଯାଉଛି ବୋଲି ସିନ୍ଦେ କହିଛନ୍ତି । ସରକାର ତେବେ ସଞ୍ଜୟ ରାଉତଙ୍କ କଥା ନଶୁଣିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । କିନ୍ତୁ ସିନ୍ଦେଙ୍କ ଅଭିଯୋଗକୁ ଖଣ୍ଡନ କରି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲିପ ୱାଲସେ ପାଟିଲ କହିଛନ୍ତି ଏହା ସମ୍ପୁର୍ଣ୍ଣ ମିଥ୍ୟା ଅଭିଯୋଗ, ସୁରକ୍ଷା ହଟାଇବା ନେଇ କୌଣସି ନୋଟିସ୍ ଜାରି କରାଯାଇନାହିଁ ।

ଏପଟେ ଆଜି ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଆଜି ଜାତୀୟ କାର୍ଯ୍ୟକାରିଣୀ ଡକାଇଛନ୍ତି । ଠାକରେ କହିଛନ୍ତି, ସେନା କେବେବି ସମାପ୍ତ ହେବ ନାହିଁ । ବିଜେପି ପକ୍ଷରେ ଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଲୋକ ପ୍ରଶ୍ନ କରିବେ । ଯେଉଁମାନେ ଦଳରୁ ଯିବା କଥା ସେମାନେ ଖୁସୀରେ ଯାଇପାରିବେ । ସେ ନୁଆ ସେନା ଗଠନ କରିବେ ବୋଲି କହିଛନ୍ତି । ତେବେ ବିଜେପି ସେନାକୁ ଶେଷ କରିଦେବାକୁ ଚେଷ୍ଟା କରୁଥିବା କହିଛନ୍ତି ।

ଏପଟେ ଅପରାହ୍ଣରେ ଗୌହାଟୀର ହୋଟେଲରେ ଥିବା ୪୫ରୁ ଅଧିକ ବିଧାୟକଙ୍କ ବୈଠକ ଡାକିଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ଅପରାହ୍ଣ ୪ଟାରେ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଦୀପକ କେଶରକର ସାମ୍ବାଦିକ ସମ୍ମୀଳନୀ ଡକାଇଛନ୍ତି । ଦୁଇ ଗୋଷ୍ଠୀର ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଉପରେ ସୂଚନା ମିଳିପାରିବ । ତେବେ ସିନ୍ଦେଙ୍କ କ୍ୟାମ୍ପରେ ପ୍ରାୟ ୫୦ ବିଧାୟକ ଥିବା କୁହାଯାଉଛି ।